ଡକ୍ଟର ବିଶ୍ୱରଞ୍ଜନ ଦାସ

ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କ ସେବା ହେଉଛି ବଂଶାନୁକ୍ରମିକ। ଶ୍ରୀଜଗନ୍ନାଥ ମନ୍ଦିର ସତ୍ୱଲିପିରେ ଏହି ସେବାକୁ ‘ଗଜପତି ମହାରାଜା ସେବା’ ଭାବରେ ଉଲ୍ଲେଖ କରାଯାଇଛି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିର ସୁନିଆଁ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ, ଯାହାକୁ ଉତ୍କଳୀୟ ନବବର୍ଷ ବୋଲି ଗ୍ରହଣ କରାଯାଏ।

ଓଡ଼ିଆଙ୍କ ପାଇ ଓ ଜାତକରେ ଏହି ଅନୁସାରେ ବର୍ଷ, ମାସ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ। ଏହି ଦିନଠାରୁ ଗାଦି ଆସୀନ ବର୍ଷର ଗଣନା ହୁଏ। ଷୋହଳ ଶାସନ ବ୍ରାହ୍ମଣମାନେ ଏହିଦିନ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଭେଟିଦେଇ ମହାରାଜାଙ୍କୁ ଆଶୀର୍ବାଦ କରନ୍ତି। କରଣ ଓ ସାମନ୍ତମାନେ ମଧ୍ୟ ଶ୍ରୀମନ୍ଦିରକୁ ଆସି ମହରାଜାଙ୍କୁ ଭେଟି ଦେଇଥାନ୍ତି। ସମସ୍ତଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ। ଗଜପତି ମହାରାଜ ମହାପ୍ରଭୁଙ୍କୁ ଦର୍ଶନ କରି ‘କନକଭେଟି’ ଅର୍ପଣ କରନ୍ତି। ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କଲାପରେ ପୁରୁଣା ନଅରକୁ ଯାଇ ରାଜା ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରନ୍ତି।

ଶ୍ରୀମନ୍ଦିରରୁ ପ୍ରତ୍ୟହ ‘ଖେଇ ସ୍ୱରୂପ’ ବା ‘ମହାପ୍ରସାଦ’ ପ୍ରଥମେ ଗଜପତିଙ୍କ ସେବନ ପାଇଁ ଯାଇଥାଏ। ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ନୀଳଚକ୍ରଠାରେ ମହାଦୀପ ଉଠେ। ଗଙ୍ଗବଂଶର ପତନ ପରେ ଓଡ଼ିଶାରେ ଗଜପତି ମହାରାଜା କପିଳେନ୍ଦ୍ରଦେବଙ୍କ ଦ୍ୱାରା ସୂର୍ଯ୍ୟବଂଶୀ ରାଜତ୍ୱ ପ୍ରତିଷ୍ଠା ପାଇଥିଲା ଓ ତାଙ୍କରି ସମୟରୁ ‘ଗଜପତି ପରମ୍ପରା’ ସ୍ୱୀକୃତି ଲାଭ କରିଥିବା ଜଣାଯାଏ।

ଓଡ଼ିଶା ଇତିହାସରେ ଗଜପତି ମହାରାଜା

          ଯଦିଓ କେତେକ ସ୍ଥଳରେ ଚୋଡ଼ଗଙ୍ଗଦେବଙ୍କଠାରୁ ଗଜପତି ପରମ୍ପରା ସ୍ୱୀକୃତ ବୋଲି ଦର୍ଶାଯାଇଛି, ପ୍ରକୃତରେ କପିଳେନ୍ଦ୍ରଦେବ ହିଁ ଥିଲେ ପ୍ରଥମ ଗଜପତି ଉପାଧିପ୍ରାପ୍ତ ମହାରାଜା। ଓଡ଼ିଶାର ରାଜାମାନେ ‘ଗଜର-ଅଧିପତି’ ଥିବାରୁ ‘ଗଜପତି’ କୁହାଯାଇଥାଏ। ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀ ସୂତ୍ରରେ ଗଜପତି ରୂପେ ଗାଦି-ଆସୀନ ହୋଇ ଶ୍ରୀମନ୍ଦିରରେ ଗଜପତିସେବା ପ୍ରଦାନ କରିଥାନ୍ତି। ସେମାନଙ୍କ କନ୍ୟା ସନ୍ତାନମାନେ ଏହି କର୍ମ କରିବାର ବିଧି ନାହିଁ।

ଯେଉଁ ଗଜପତି ମହାରାଜାଙ୍କର ପୁତ୍ର ନଥିବ ସେମାନଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ। ମହାରାଜାଙ୍କ ଜ୍ୟେଷ୍ଠପୁତ୍ରଙ୍କୁ ‘ଜେନାମଣି’ ଓ ସାନପୁତ୍ରଙ୍କୁ ‘ଥାଟରାଜା’ ବୋଲି ସମ୍ବୋଧିତ କରାଯାଇଥାଏ। ଉତ୍ତରାଧିକାରୀ ସୂତ୍ରେ ଗଜପତି ମହାରାଜାଙ୍କ ପାଇଁ ଅଭିଷେକ, ବ୍ରତୋପନୟନ ଓ ଶାଢ଼ିବନ୍ଧାପର୍ବ ସମାପନ ପରେ ‘ଗଜପତିସେବା’ ପାଇଁ ଉପଯୁକ୍ତ ହୋଇଥାନ୍ତି।

ଅଭିଷେକ ହେବା ପୂର୍ବରୁ ଜେନାମଣିଙ୍କର ଅନ୍ୟ କିଛି ନାମ ଥାଏ (ଯେପରି ବର୍ତ୍ତମାନର ଗଜପତି ଦିବ୍ୟସିଂହଦେବଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ)। ଗଜପତି ପରମ୍ପରା କ୍ରମେ ମହରାଜା ପଦରେ ଅଭିଷିକ୍ତ ହେବାପରେ ମୁଖ୍ୟତଃ ଚାରିଗୋଟି ନାମରେ ନାମିତ ହୋଇଥାନ୍ତି। ଯଥା:- ଗଜପତି ମୁକୁନ୍ଦଦେବ, ଗଜପତି ରାମଚନ୍ଦ୍ରଦେବ, ଗଜପତି ବୀରକିଶୋରଦେବ ଓ ଗଜପତି ଦିବ୍ୟସିଂହଦେବ।

ଗଜପତିଙ୍କ ରାଜଗାଦି କେବେ ଶୂନ୍ୟ ପଡ଼େନାହିଁ। ନୂତନ ରାଜା ରାଜଗାଦିରେ ଯଥାବିଧି ଅଭିଷିକ୍ତ ହେବାପରେ ତାଙ୍କ ଆଦେଶାନୁସାରେ ପୂର୍ବବର୍ତ୍ତୀ ରାଜାଙ୍କର ମରଶରୀର ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥାଏ। ସାଧାରଣତଃ ଅନ୍ୟମାନଙ୍କର ମରଶରୀର ସିଂହଦ୍ୱାରରୁ ପତିତପାବନ ଦର୍ଶନ କରାଇ ନିଆଯାଉଥିବା ବେଳେ ଗଜପତିଙ୍କ ମରଶରୀରର ଶ୍ରୀମନ୍ଦିର ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ଓ ଦକ୍ଷିଣ ଦ୍ୱାର ବୁଲାଇ ଶୋଭଯାତ୍ରାରେ ନିଆଯାଇଥାଏ।

ଗଜପତିଙ୍କ ସେବା (ମନ୍ଦିର ଭିତରେ ଓ ରଥ ଉପରେ)

          ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବା ପାଇଁ ଗଜପତିଙ୍କର ଗସ୍ତ ସମୟରେ କେତେକ ବିଶେଷ ବିଧିବିଧାନ ପାଳନ କରାଯାଏ। ମହାରାଜା ଶ୍ରୀନଅରରୁ ତାମଯାନରେ ବିଜେକରି କଳାଛତି, ଧଳାଛତି, ବାଦ୍ୟବାଜଣା ସହ ପଟୁଆରରେ ସିଂହଦ୍ୱାର ସମ୍ମୁଖକୁ ଆସିଥାନ୍ତି। ସେଠାରୁ ଗଜପତି ଖାଲି ପାଦରେ ସିଂହଦ୍ୱାର ଗୁମୁଟରେ ପତିତପାବନ ଓ ବାଇଶିପାହାଚରେ କାଶୀବିଶ୍ୱନାଥଙ୍କୁ ଦର୍ଶନ କରି କୂର୍ମବେଢ଼ାରେ ପ୍ରବେଶ କରନ୍ତି।

କଳ୍ପବଟ ତଳେ ବଟଗଣେଶ ଓ ବଟମଙ୍ଗଳାଙ୍କୁ ଦର୍ଶନ କରି ସାତପାହାଚ ବାଟେ ନାଟମଣ୍ଡପ ପ୍ରବେଶ କରନ୍ତି ଓ ଗରୁଡ଼ସ୍ତମ୍ଭ ପାଖରେ ମହାପ୍ରଭୁଙ୍କୁ ପ୍ରଣାମ କରନ୍ତି। ନାଟମଣ୍ଡପରୁ ଜୟବିଜୟ ଦ୍ୱାରଦେଇ ଜଗମୋହନକୁ ଯାଇ କଳାହାଟଦ୍ୱାର ବାଟେ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରନ୍ତି ଓ ସେବାନୀତି ପାଳନ କରନ୍ତି। ବିଧିପୂର୍ବକ କର୍ପୂର ଆଳତି, ଆଲଟସେବା, ଚାମର ସେବା, ପୁଷ୍ପାଞ୍ଜଳି, ବନ୍ଦାପନା ଇତ୍ୟାଦି ନୀତି ସମ୍ପାଦନ କରି ରତ୍ନ ସିଂହାସନ ଚର୍ତୁପାଶ୍ୱର୍ ସମାର୍ଜନ କରି ‘ରାଜନୀତି’ (ରାଜକୀୟ ନୀତି) ପାଳନ କରନ୍ତି।

ଏହି ସେବାବିଧି ପାଳନ ବେଳେ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥାଏ। ନୀତି ସମାପନ ପରେ ଗଜପତି ଜଗମୋହନରେ ‘ଭଣ୍ଡାର ଲୋକନାଥ’ଙ୍କୁ ଦର୍ଶନ ପରେ ବେହରଣ ଦ୍ୱାରଦେଇ ମନ୍ଦିର ବାହାରକୁ ଆସି ଦକ୍ଷିଣ ଘରେ ବିଜେ ପ୍ରତିମାଙ୍କୁ ଓ ନୃସିଂହ ମନ୍ଦିରର ପ୍ରଭୁ ନୃସିଂହଙ୍କୁ ପ୍ରଣାମ କରି ମୁକ୍ତିମଣ୍ଡପ ପଣ୍ଡିତମାନଙ୍କ ଆଶୀର୍ବାଦ ଗ୍ରହଣ କରନ୍ତି। ତା’ପରେ ବିମଳା, ସରସ୍ୱତୀ, ଭୁବନେଶ୍ୱରୀ ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ପୁଣି ତାମଯାନରେ ନଅର ପ୍ରତ୍ୟାବତ୍ତର୍ତ୍ତନ କରନ୍ତି।

ସେହିପରି ରଥଯାତ୍ରା ଅବସରରେ ତିନିରଥ ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ଦର୍ଶନ ସରିବା ପରେ ଗଜପତି ମହାରାଜା ନଅରରୁ ତାମଯାନରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରନ୍ତି। ଏହାପରେ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ବିଧି ‘ଛେରାପହଁରା’ ଅନୁଷ୍ଠିତ ହୁଏ। ଗଜପତିଙ୍କ ଛେରାପହଁରା ସେବା ଏକ ଐତିହାସିକ ଭୂମିକା। ଗଜପତିଙ୍କ କଞ୍ଚି ଅଭିଯାନ, ପଦ୍ମାବୀତ ହରଣ ଓ ମାଣିକପାଟଣା କାହାଣୀରେ ବର୍ଣ୍ଣିତ ଛେରାପହଁରା ପ୍ରସଂଙ୍ଗକୁ ନେଇ ଆମ ଭାଷାରେ ଅନେକ ଗ୍ରନ୍ଥ ରଚନା କରାଯାଇଛି।

ମହାରାଜା ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା କରିଥାନ୍ତି। ରାଜାଙ୍କ ହାତକୁ ଗରାବଡୁ ସେବକ ପାଣି ବଢ଼ାଇଦିଅନ୍ତି ଓ ଗଜପତି ପୁଷ୍ପାଞ୍ଜଳି ଦିଅନ୍ତି। ସୁନାକର୍ପୂର ଆଳତି ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢ଼ାନ୍ତି। ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନାଚାମରରେ ଆଲଟସେବା କରିଥାନ୍ତି। ପୂର୍ବରୁ ଦୟଣାମାଳ ଦେଇଥିବା ଶୁକ୍ଳ ଫୁଲଭଣ୍ଡାର ମେକପ ପୂଜା-ପିଙ୍ଗଣରେ ଧରିଥାଏ।

ଏହି ସମୟରେ ରାଜଗୁରୁ ମୁଦୁସୁଲି ସେବକଙ୍କଠାରୁ ସୁନାଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାନ୍ତି। ଭଣ୍ଡାର ମେକପ ରଥ ଚାରିପାଖରେ ବୁଲି ଶୁକ୍ଳ ଫୁଷ୍ପ ଆଗରେ ପକାନ୍ତି ଓ ଗଜପତି ସୁନାଖଡ଼ିକା ଧରି ରଥ ଚାରିପାଖେ ପହଁରା ଦିଅନ୍ତି। ଏହାପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନପାଣିକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢ଼ାଇଥାନ୍ତି ଓ ସେ ଚନ୍ଦନପାଣି ରଥରେ ସିଞ୍ଚନ କରନ୍ତି।

ଏହି କ୍ରମରେ ବଳଭଦ୍ରଙ୍କ ରଥ ପରେ ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କ ରଥରେ ମଧ୍ୟ ଛେରାପହଁରା ହୁଏ। ସେହିପରି ବାହୁଡ଼ା, ଦେବସ୍ନାନଯାତ୍ରାରେ ସ୍ନାନମଣ୍ଡପରେ, ଚନ୍ଦନଯାତ୍ରାରେ ଚାପ ଉପରେ ଓ ଦୋଳଯାତ୍ରାରେ ଦୋଳବେଦୀ ଉପରେ ଛେରାପହଁରା ହୋଇଥାଏ।

ଶ୍ରୀମନ୍ଦିରରେ ଗଜପତିଙ୍କ ରାଣୀଙ୍କ ସେବା

          ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରାଣୀ ରାଜ ପରିବାରର ସଦସ୍ୟଙ୍କ ଗହଣରେ ଆସିଥାନ୍ତି। ଏଣୁ ମହାରାଣୀ ଶ୍ରୀମନ୍ଦିରକୁ ବିଜେ କଲେ ତାହାକୁ ‘ଗହଣ ବିଜେ’ କୁହାଯାଏ। ଶ୍ରୀମନ୍ଦିର ସତ୍ୱଲିପିରେ ମହାରାଣୀଙ୍କ ଗହଣ ବିଜେ ପରମ୍ପରା ସମ୍ପର୍କରେ ଉଲ୍ଲିଖିତ ଅଛି।

ମହାରାଣୀଙ୍କର ଶ୍ରୀମନ୍ଦିରକୁ ଗହଣ ବିଜେ ବ୍ୟତୀତ ଅନ୍ୟ କୌଣସି ସମୟରେ କୌଣସି ପ୍ରକାର ସେବା ନାହିଁ। ଏପରିକି ନବକଳେବର ବିଧି ସମ୍ପାଦନରେ ଅବା ରଥଯାତ୍ରା ସମୟରେ ମହାରାଣୀଙ୍କର କୌଣସି ଭୂମିକା ନାହିଁ। କେବଳ ଶ୍ରୀନଅର ସମ୍ମୁଖ ଦେଇ ରଥଟଣା ହେଉଥିବା ବେଳେ ମହାରାଣୀ ଶ୍ରୀମନ୍ଦିର ରାଣୀହଂସପୁର ଜଳା-କବାଟ ବାଟେ ରଥାରୂଢ଼ ଶ୍ରୀଜୀଉମାନଙ୍କୁ ଦୀପଦାନ କରି ବନ୍ଦାପନା କରିଥାନ୍ତି।

ହେରାପଞ୍ଚମୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ସମୟରେ ଶ୍ରୀନଅର ସମ୍ମୁଖରେ ମହାରାଣୀ ତରଫରୁ ମହାଲକ୍ଷ୍ମୀଙ୍କୁ ତିନିଖଣ୍ଡ ପାଟଶାଢ଼ି ଉପହାର ଦିଆଯାଇଥାଏ।

ମହାରାଣୀଙ୍କ ଗହଣ ବିଜେ ପୂର୍ବରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଶୋଧ ହେବାର ବିଧି ରହିଛି। ଏହି ଶୋଧନ ସମୟରେ କୌଣସି ସେବାୟତ, ମୁକ୍ତିମଣ୍ଡପ ପଣ୍ଡିତ, ଯାତ୍ରୀ, ସୁରକ୍ଷାକର୍ମୀ ଆଦି କେହି ବି ଉପସ୍ଥିତ ରହିବେ ନାହିଁ। ଶୋଧ କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀନଅରକୁ ଖବର ଯିବ। ବିଭିନ୍ନ ବାଦ୍ୟ-ବାଜଣା, ଶଙ୍ଖଧ୍ୱନି ଓ ହୁଳୁହୁଳି ମଧ୍ୟରେ ପ୍ରଥମେ ଗଜପତି ତାମଯାନରେ ବସି ବାହାରିବେ ଓ ତାଙ୍କ ପଛେପଛେ ମହାରାଣୀ ନିଜର ନିବୁଜ ସବାରିରେ ବସି ଶ୍ରୀମନ୍ଦିର ଯାତ୍ରା କରିବେ।

ଗହଣ ବିଜେ ସମୟରେ ବଡ଼ଦାଣ୍ଡରେ ସମବେତ ଜନତା ମହାରାଣୀଙ୍କୁ ଦେଖିପାରିବେ ନାହିଁ। କଳ୍ପବଟ ତଳେ ଯାଇ ମହାରାଣୀଙ୍କ ସବାରି ରହିବ। ସେଠାରେ ଓହ୍ଲାଇ ସେ ମହାରାଜାଙ୍କ ସହ ବଟଗଣେଶଙ୍କୁ ଦର୍ଶନ କରିବେ ଓ ସେଠାରୁ ଜୟବିଜୟ ଦ୍ୱାରବାଟେ ଜଗମୋହନରେ ପ୍ରବେଶ କରି ଚନ୍ଦନ ଅର୍ଗଳି କଳାହାଟ ଦ୍ୱାରଦେଇ ଗର୍ଭଗୃହକୁ ଯିବେ। ଏତିକିବେଳେ କେବଳ ମୁଦିରଥ ସେବକ ଶ୍ରୀମନ୍ଦିର ଭିତରେ ରହିବେ ଓ ସେ ମହାରାଣୀଙ୍କୁ ଗର୍ଭଗୃହ ମଧ୍ୟକୁ ବାଟ କଢ଼େଇ ନେବେ।

ଶ୍ରୀମନ୍ଦିର ପରିଚାଳନା ଓ ଗଜପତି

          ପ୍ରାରମ୍ଭିକ ଅବସ୍ଥାରେ ଶ୍ରୀମନ୍ଦିର ପୃଷ୍ଠପୋଷକତା କରୁଥିଲେ ଗଜପତି। ମନ୍ଦିରର ସରଳ ପରିଚାଳନା ନିମେନ୍ତ ଗଜପତି ମନ୍ଦିର ପ୍ରଶାସନ ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ। ଗଙ୍ଗବଂଶୀୟ ରାଜାଙ୍କ ଭଳି ସୂର୍ଯ୍ୟବଂଶୀୟ ରାଜାମାନେ ମଧ୍ୟ ବ୍ୟାପକ ଭୂମି, ଅଳଙ୍କାର ପୁଣ୍ୟାର୍ଥେ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ।

ବ୍ରିଟିଶ୍ ଶାସନ କାଳରେ ମନ୍ଦିର ପରିଚାଳନା ଓ ପ୍ରଶାସନ ନିମନ୍ତେ ପ୍ରଥମେ ମୁଖ୍ୟ ଅଧୀକ୍ଷକ ଭାବେ ମହାରାଜାଙ୍କୁ ମନୋନୀତ କରାଯାଇଥିଲା। ସ୍ୱାଧୀନତା ପରେ ରାଜ୍ୟ ସରକାର ଉନ୍ନତମାନର ପରିଚାଳନା ବ୍ୟବସ୍ଥା ଲାଗି ଶ୍ରୀମନ୍ଦିର ପ୍ରଶାସନ ଆଇନ-୧୯୫୨ ପ୍ରଣୟନ କରିଥିଲେ। ୧୯୬୦ ମସିହା ଡିସେମ୍ବର ୨୭ ତାରିଖରେ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା।

ଏଥିରେ ମନ୍ଦିର ପ୍ରଶାସନ, ସଂଚାଳନା ଓ ପରିଚାଳନା ଭାର ସେବେଠାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପ୍ରଶାସନ କମିଟିର ସଦସ୍ୟମାନଙ୍କ ଦ୍ୱାରା ସମ୍ପନ୍ନ ହେଲା। ଏଥିରେ ଗଜପତି ମହାରାଜା ସ୍ଥାୟୀ ଅଧ୍ୟକ୍ଷ, ପୁରୀ ଜିଲ୍ଲାପାଳ ଉପାଧ୍ୟକ୍ଷ, ଓଡ଼ିଶା ସରକାରଙ୍କ ଉଚ୍ଚ ପ୍ରଶାସନ ଅଧିକାରୀ ମୁଖ୍ୟ ପ୍ରଶାସକ, ଏ.ଏସ୍‌.ଆଇ. ଅଧିକାରୀ ଓ ସରକାରଙ୍କ ମନୋନୀତ ସଦସ୍ୟଗଣ ପ୍ରତିନିଧି ଭାବେ ମନୋନୀତ ହୋଇଥିଲେ। ଏବେ ମଧ୍ୟ ଏହି ରୀତିରେ ଶ୍ରୀମନ୍ଦିର ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି।

ଗଜପତିଙ୍କ ପାଇଁ ପତିତପାବନ ପ୍ରତିଷ୍ଠା

          ପତିତଜନଙ୍କ ଉଦ୍ଧାର ଓ ସାରା ସଂସାରର ଉଦ୍ଧାର ନିମିତ୍ତ ପ୍ରଭୁ ଲୀଳାମୟଙ୍କ ପତିତପାବନ ରୂପ। ପତିତପାବନ ବାନା ଶ୍ରୀମନ୍ଦିର ନୀଳଚକ୍ରରେ କେବଳ ଯେ ଫରଫର ହେଇ ଉଡୁଛି ତା’ ନୁହେଁ, ପରନ୍ତୁ; ସିଂହଦ୍ୱାର ଗୁମୁଟରେ ବିରାଜିତ ଠାକୁରଙ୍କ ନାମ ମଧ୍ୟ ପତିତପାବନ। ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ପ୍ରତ୍ୟେକ ମାନବ ପତିତପାବନଙ୍କ କୃପା ଲାଭ କରିଥାନ୍ତି।

ଇତିହାସ ଅନୁଯାୟୀ, ଗଜପତି ମହାରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ଶ୍ରୀମନ୍ଦିର ସୁରକ୍ଷା ନିମିତ୍ତ ଯେତେବେଳେ ଅନନ୍ୟୋପାୟ ହୋଇ ଆକ୍ରମଣକାରୀ ତକିଖାଁର ଭଗ୍ନୀଙ୍କୁ ବିବାହ କଲେ, ସେତେବେଳେ ବିଧର୍ମୀ ଭାବେ ତାଙ୍କୁ ଶ୍ରୀମନ୍ଦିର ବାରଣ କରାଗଲା। ହେଲେ ଅଭିଶପ୍ତ ଗଜପତି ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ। ତେଣୁ ଶୟନେ, ସ୍ୱପନେ ଓ ଜାଗରଣେ ସେ ପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇଉଠିଲେ। ସେତିକିବେଳେ ମହାପ୍ରଭୁଙ୍କର ପତିତପାବନ ରୂପ ସଂହଦ୍ୱାର ଗୁମୁଟରେ ପ୍ରତିଷ୍ଠା କରାଗଲା।

ଏହିପରି ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧର୍ମୀ ହୋଇଥିବା ଗଜପତିଙ୍କ ଭଳି କୋଟି କୋଟି ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବିନା ଦର୍ଶନ ଦେଲେ। ଓଡ଼ିଆ ଜାତିର ନମସ୍ୟ ଭକ୍ତ ସାଲବେଗ ମଧ୍ୟ ସେଠାରେ ପତିତପାବନ ଦର୍ଶନ କରି ନିଜକୁ କୃତାର୍ଥ ମନେକଲେ।

ପ୍ରଭୁଙ୍କର ଏହି ପତିତପାବନ ସ୍ୱରୂପ ହେଲା ସର୍ବଧର୍ମ ସମନ୍ୱୟର ପ୍ରତୀକ। ଏହା ମୋକ୍ଷ ଉପାସନା ଲାଗି ଉଦ୍ଦିଷ୍ଟ। ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକତା ଓ କାଳଜୟିତା ପାଇଁ ପତିତପାବନର ପ୍ରତିଷ୍ଠା। ଶ୍ରୀଜଗନ୍ନାଥଙ୍କର ଏହି ଏକକ ବିଗ୍ରହ ଶ୍ରୀମନ୍ଦିର ସିଂହଦ୍ୱାର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ସୁଦ୍ଧା ପୂଜିତ ହେଉଅଛନ୍ତି।

(ଲେଖକ ହେଉଛନ୍ତି ଭଦ୍ରକ ବିଏନଏମଏ କଲେଜର ଓଡ଼ିଆ ବିଭାଗ ମୁଖ୍ୟ। ମତାମତ ନିଜସ୍ଵ।)

Tags: #Rathajatra #GajapatiMaharaja #CheraPahanra #Culture #Puri #Odisha

LEAVE A REPLY

Please enter your comment!
Please enter your name here