ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲ୍ସ କରିବା ବେଳେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ସ୍ଥିତ ନିଜିଗଡ଼ ଖଣି ପୋଖରୀରେ ବୁଡ଼ି ଯାଇଥିବା ଓମ ପ୍ରକାଶ ରଥଙ୍କର ମୃତଦେହ ୫ ଦିନ ପରେ ଉଦ୍ଧାର କରାଯାଇଛି। ଜୁଲାଇ ୮ ତାରିଖରେ ଖଣି ପୋଖରୀରେ ବୁଡ଼ିଯାଇଥିଲେ ଓମ ପ୍ରକାଶ।
ଶୁକ୍ରବାର ସକାଳେ ଖଣୀ ପୋଖରୀରୁ ଭାସୁଥିବା ଅବସ୍ଥାରେ ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାରଠାରୁ ଓମ ପ୍ରକାଶଙ୍କୁ ଉଦ୍ଧାର କରିବାକୁ ନିୟୋଜିତ ହୋଇଥିଲେ ଏନଡିଆରଏଫ, ଓଡ୍ରାଫ, ନାଭାଲ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀ।
ସୋମବାର ଦିନ ଓମ ପ୍ରକାଶ ରଥ ତିନିଜଣ ସାଙ୍ଗଙ୍କ ସହ ଗାଡ଼ି ଭଡ଼ା କରି ଭୁବନେଶ୍ଵରରୁ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ସ୍ଥିତ ନିଜିଗଡ଼କୁ ଯାଇଥିଲେ। ଟ୍ୟାକ୍ସି ଡ୍ରାଇଭର ବାରଣ କରିଥିଲେ ମଧ୍ୟ ଓମ ପ୍ରକାଶ ଏବଂ ତାଙ୍କ ସାଙ୍ଗମାନେ ଗଭୀର ଖଣି ପୋଖରୀ ନିକଟକୁ ଯିବାକୁ ଜିଦ କରିଥିଲେ।
ବେଆଇନ ଭାବେ ଖୋଳାଯାଇଥିବା ପଥର ଖଣିରେ ଜମି ରହିଥିବା ଅକାତକାତ ନୀଳ ଜଳ ଦେଖି ଏଠାରେ ରିଲ୍ସ କରିବାକୁ ଓମ ପ୍ରକାଶ ଓ ତାଙ୍କ ସାଙ୍ଗମାନେ ଯୋଜନା କରିଥିଲେ। ଖଣିରେ ଭରି ରହିଥିବା ପାଣି ଭିତରେ ପଶି ରିଲ୍ସ କରିବା ସମୟରେ ଓମ ପ୍ରକାଶଙ୍କର ଜଣେ ସାଙ୍ଗଙ୍କ ଗୋଡ଼ ଖସିଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଓମ ପ୍ରକାଶ ନିଜେ ପାଣିରେ ବୁଡ଼ି ଯାଇଥିଲେ।
ଅନ୍ୟ ସାଙ୍ଗମାନଙ୍କ ଚିତ୍କାର ଶୁଣି ଟ୍ୟାକ୍ସି ଡ୍ରାଇଭର ପ୍ରଥମେ ବୁଡ଼ିଥିବା ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ଓମ ପ୍ରକାଶଙ୍କୁ ପାଇନଥଲେ। ଗଭୀର ଖାତ ଯୋଗୁଁ ଓମ ପ୍ରକାଶଙ୍କୁ ଉଦ୍ଧାର କରିବା ପାଇଁ କେହି ସାହସ କରିନଥିଲେ।
ଟ୍ୟାକ୍ସି ଡ୍ରାଇଭର ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ଓମ ପ୍ରକାଶଙ୍କ ସନ୍ଧାନ ମିଳିପାରିନଥିଲା। ପରେ ଓ୍ଵାଟର କ୍ୟାମେରା, ସ୍କୁବା ଡାଇଭ୍ ଟିମ ଏବଂ ଓଡ୍ରାଫ ଟିମର ଦୁଇଟି ବୋଟ ସହାୟତାରେ ଓମ ପ୍ରକାଶଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଓମ ପ୍ରକାଶଙ୍କୁ ପାଇନଥିଲେ।
Tags: #Accident #Death #Reels #Nijigarh #Tapang #OmPrakashMishra