ଓଡ଼ିଶାଲାଇଭ୍ ବ୍ୟୁରୋ

ପଦବୀ ସମ୍ଭାଳିବା ଆଗରୁ ବିବାଦରେ ଆଇଏଏସ୍ ପୂଜା ଖେଡକର। ତଦନ୍ତ ପାଇଁ କମିଟି ଗଠିତ

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକର୍ ନିଜ କାର୍ଯ୍ୟକଳାପ ନେଇ ବେଶ ଚର୍ଚ୍ଚାକୁ ଆସିଛନ୍ତି। ପଦବୀ ସମ୍ଭାଳିବା ଆଗରୁ ତାଙ୍କର ଅଡୁଆ ଆହୁରି ବଢ଼ିଛି। ପୂଜା ଖେଡକରଙ୍କ ୟୁପିଏସସି ପରୀକ୍ଷାର ଅକ୍ଷମତା ଏବଂ ପଛୁଆ ବର୍ଗ (ଓବିସି) ପ୍ରମାଣପତ୍ର ଓ ଅନ୍ୟ ବିବାରଣୀ ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ୟୁପିଏସସି ପରୀକ୍ଷାର ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।   

କେନ୍ଦ୍ରର ଜଣେ ଅତିରିକ୍ତ ସଚିବ ସ୍ତରର ଅଧିକାରୀଙ୍କ ନେତୃତ୍ୱରେ ଏହି ମାମଲାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହି କମିଟି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ। ପୁଣେ ଜିଲ୍ଲାପାଳ ଡକ୍ଟର ସୁହାସ ଦିବାସେ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠି ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

କାହିଁକି ଚର୍ଚ୍ଚାରେ ଆଇଏଏସ୍ ଅଧିକାରୀ?

ପୂଜା ଖେଡକର୍ ମହାରାଷ୍ଟ୍ର କ୍ୟାଡରର ୨୦୨୩ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ। ସେ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୧ ରାଙ୍କ୍ ହାସଲ କରିଥିଲେ। ଜଣେ ଟ୍ରେନିଂ ଆଇଏଏସ୍ ଅଧିକାରୀ ଭାବେ ପୁଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପୂର୍ବରୁ ପୂଜା ଅନେକ କିଛି ବିଳାସପୂର୍ଣ୍ଣ ସୁବିଧା ଦାବି କରିଥିବା ଅଭିଯୋଗ ହୋଇଛି।

ପୁଣେ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ, ଜୁନ୍ ୩ରେ ଯୋଗ ଦେବା ପୂର୍ବରୁ ସେ ଏକ ଅଲଗା କ୍ୟାବିନ୍, ଫ୍ଲାଟ୍, ଗାଡ଼ି ଏବଂ ଜଣେ ପିଅନ ଦାବି କରିଥିଲେ। ତେବେ ଏହି ସମସ୍ତ ଦାବି ଖାରଜ କରିଦିଆଯାଇଥିଲା।

ପୂଜା ପ୍ରଶିକ୍ଷଣ ନେଉଥିବାବେଳେ ନିଜ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଭିଆଇପି ନମ୍ବର ପ୍ଲେଟ୍, ନାଲି ଓ ନୀଳ ବତି ସହ ମହାରାଷ୍ଟ୍ର ସରକାରଙ୍କ ଷ୍ଟିକର ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ଏହି ସମସ୍ତ କାର୍ଯ୍ୟକଳାପ ପାଇଁ ପୂଜାଙ୍କୁ ମହାରାଷ୍ଟ୍ର ସରକାର ପୁଣେରୁ ୱାଶିମ୍ ଜିଲ୍ଲାକୁ ବଦଳି କରିଥିଲେ। ସେ ଏବେ ଅତିରିକ୍ତ ଆସିଷ୍ଟାଣ୍ଟ୍ କଲେକ୍ଟର ଭାବେ କାର୍ଯ୍ୟରତ।

ଭିନ୍ନକ୍ଷମ ଶ୍ରେଣୀରେ ପାସ୍ କରିଥିଲେ ପରୀକ୍ଷା

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୂଜା ଖେଡକର୍ ୨୦୧୯ରେ ଜେନେରାଲ ବର୍ଗରୁ ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ। ତେବେ ସେ ସେଥିରେ ଚୟନ ହେବାରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ଥର ସେ ଭିନ୍ନକ୍ଷମ ଶ୍ରେଣୀରୁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୨୨ରେ ତାଙ୍କ ନିଯୁକ୍ତି ରଦ୍ଦ କରିଦିଆଯାଇଥିଲା। ତେବେ ସେ ଦୃଷ୍ଟିବାଧିତ ଏବଂ ମାନସିକସ୍ତରରେ ରୋଗାକ୍ରାନ୍ତ ଥିବା ଦାବି କରି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ।

ମିଥ୍ୟା ଦସ୍ତାବିଜ ଦାଖଲ ଅଭିଯୋଗ

ପୂଜା ଖେଡକର୍ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାସ୍ କରିବା ପାଇଁ ମିଥ୍ୟା ଭିନ୍ନକ୍ଷମ ଏବଂ ଓବିସି ପ୍ରମାଣପତ୍ର ଦାଖଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କର ମାନସିକ ରୋଗ ଥିବା ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇଥିବା ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏପ୍ରିଲ ୨୦୨୨ରେ ଭିନ୍ନକ୍ଷମ ପ୍ରମାଣ ପତ୍ରର ପ୍ରାମାଣିକତା ପାଇଁ ପୂଜାଙ୍କୁ ଦିଲ୍ଲୀ ଏମ୍ସରେ ହାଜର ହେବାକୁ କୁହାଯାଇଥିଲା। ତେବେ ସେ କୋଭିଡ ସଂକ୍ରମଣ କାରଣ ଦର୍ଶାଇ ହାଜର ହୋଇନଥିଲେ।

ଆଇଏଏସ୍ ଟ୍ରେନି ପୂଜା ଖେଡକରଙ୍କ ବିରୋଧରେ ଖୁବଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର। ସେ ଭିନ୍ନକ୍ଷମ ତଥା ଓବିସି କୋଟାର ଦୁରୁପଯୋଗ କରିଥିବାର ଅଭିଯୋଗ ରହିଛି। ଏନେଇ ପୂଜା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Tags: #PujaKhedkar #IAS #UPSC #Pune #Maharashtra  

LEAVE A REPLY

Please enter your comment!
Please enter your name here