ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏନେଇ ସହରରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ପୁରୀ ଏସପିଙ୍କ ସୂଚନା ଅନୁସାରେ ସୁନାବେଶ ପାଇଁ ପୁରୀରେ ୧୯୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବଡ଼ଦାଣ୍ଡରେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।
କେଉଁ ବାଟ ଦେଇ ଭକ୍ତମାନେ ବଡ଼ଦାଣ୍ଡକୁ ଯିବେ ଏବଂ କେଉଁଠି ସେମାନଙ୍କର ଗାଡ଼ି ପାର୍କ କରିବେ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ସିଂହଦ୍ଵାରଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ୍ କରାଯିବ। ଭକ୍ତମାନେ ବ୍ୟାରିକେଡ ଭିତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ସମୟରେ ଥିବା ଟ୍ରାଫିକ କଟକଣା ସୁନାବେଶ ପାଇଁ ବଳବତ୍ତର ରହିବ।
ଏହା ସହ ଟ୍ରାଫିକ ଉପରେ ନଜର ରଖିବା ପାଇଁ ଡ୍ରୋନର ବ୍ୟବହାର କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡରେ ମେଡିକାଲ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ‘ନୋ ଭେହିକିଲ ଜୋନ’ କରାଯାଇଛି।
ବୁଧବାର ଅପରାହ୍ଣ ୫ଟାରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଏନେଇ ବୁଧବାର ସକାଳୁ ମହାପ୍ରଭୁଙ୍କର ମଙ୍ଗଳଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଦି ନୀତି ସମ୍ପନ୍ନ ହେବ। ଏହାପରେ ରାଜରାଜେଶ୍ୱର ବେଶର ଦର୍ଶନ ଦେବେ ମହାପ୍ରଭୁ।
Tags: #Sunabesa #SriJagannath #TrafficRegulation #Puri #Odisha