ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ ଆହୁରି ବଢ଼ିଛି। ପୂଜାଙ୍କ ଜିଲ୍ଲା ପ୍ରଶିକ୍ଷଣକୁ ସ୍ଥଗିତ କରିଛି ମସୌରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଭାରତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସଏନଏଏ)। ତାଙ୍କୁ ଜୁଲାଇ ୨୩ ତାରିଖ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ପୂଜାଙ୍କୁ ଲେଖାଯାଇଥିବା ଚିଠି ଅନୁସାରେ ମହାରାଷ୍ଟ୍ରରେ ମିଳିଥିବା ସବୁ ଦାୟିତ୍ଵରୁ ତାଙ୍କୁ ରିଲିଭ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ ତାଙ୍କୁ ଏକାଡେମୀରେ ରହିବାକୁ ନିର୍ଦ୍ଦେଶ ରହିଛି।

କାହିଁକି ଚର୍ଚ୍ଚାରେ ଆଇଏଏସ୍ ଅଧିକାରୀ?

ପୂଜା ଖେଡକର୍ ମହାରାଷ୍ଟ୍ର କ୍ୟାଡରର ୨୦୨୩ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ। ସେ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୧ ରାଙ୍କ୍ ହାସଲ କରିଥିଲେ। ଜଣେ ଟ୍ରେନିଂ ଆଇଏଏସ୍ ଅଧିକାରୀ ଭାବେ ପୁଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପୂର୍ବରୁ ପୂଜା ଅନେକ କିଛି ବିଳାସପୂର୍ଣ୍ଣ ସୁବିଧା ଦାବି କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଣେ ଜିଲ୍ଲାପାଳ ଡକ୍ଟର ସୁହାସ ଦିବାସେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।

ପୁଣେ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ, ଜୁନ୍ ୩ ତାରିଖରେ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେ ଏକ ଅଲଗା କ୍ୟାବିନ୍, ଫ୍ଲାଟ୍, ଗାଡ଼ି ଏବଂ ଜଣେ ପିଅନ ଦାବି କରିଥିଲେ। ତେବେ ଏହି ସମସ୍ତ ଦାବି ଖାରଜ କରିଦିଆଯାଇଥିଲା।

ପୂଜା ପ୍ରଶିକ୍ଷଣ ନେଉଥିବାବେଳେ ନିଜ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଭିଆଇପି ନମ୍ବର ପ୍ଲେଟ୍, ନାଲି ଓ ନୀଳ ବତି ସହ ମହାରାଷ୍ଟ୍ର ସରକାରଙ୍କ ଷ୍ଟିକର ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ଏହି ସମସ୍ତ କାର୍ଯ୍ୟକଳାପ ପାଇଁ ପୂଜାଙ୍କୁ ମହାରାଷ୍ଟ୍ର ସରକାର ପୁଣେରୁ ୱାଶିମ୍ ଜିଲ୍ଲାକୁ ବଦଳି କରିଥିଲେ।

ପରୀକ୍ଷାରେ ମିଥ୍ୟା ଦସ୍ତାବିଜ ଦେଇଥିବା ଅଭିଯୋଗ

ପୂଜା ଖେଡକର୍ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାସ୍ କରିବା ପାଇଁ ମିଥ୍ୟା ଭିନ୍ନକ୍ଷମ ଏବଂ ଓବିସି ପ୍ରମାଣପତ୍ର ଦାଖଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କର ମାନସିକ ରୋଗ ଥିବା ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇଥିବା ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏପ୍ରିଲ ୨୦୨୨ରେ ଭିନ୍ନକ୍ଷମ ପ୍ରମାଣ ପତ୍ରର ପ୍ରାମାଣିକତା ପାଇଁ ପୂଜାଙ୍କୁ ଦିଲ୍ଲୀ ଏମ୍ସରେ ହାଜର ହେବାକୁ କୁହାଯାଇଥିଲା। ତେବେ ସେ କୋଭିଡ ସଂକ୍ରମଣ କାରଣ ଦର୍ଶାଇ ହାଜର ହୋଇନଥିଲେ।

ପୂଜା ଖେଡକରଙ୍କ ୟୁପିଏସସି ପରୀକ୍ଷାର ଅକ୍ଷମତା ଏବଂ ପଛୁଆ ବର୍ଗ (ଓବିସି) ପ୍ରମାଣପତ୍ର ଓ ଅନ୍ୟ ବିବାରଣୀ ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କେନ୍ଦ୍ରର ଜଣେ ଅତିରିକ୍ତ ସଚିବ ସ୍ତରର ଅଧିକାରୀଙ୍କ ନେତୃତ୍ୱରେ ଏହି ମାମଲାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହି କମିଟି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ। 

ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ୟୁପିଏସସି ପରୀକ୍ଷାର ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।   

Tags: #PujaKhedkar #IAS #UPSC #Pune #Maharashtra

LEAVE A REPLY

Please enter your comment!
Please enter your name here