ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲା ପରିଟାଲା ନିକଟ ଡୋନାବାଣ୍ଡା ପାହାଡ଼ରେ ଥିବା ଏକ ପଥର ଖଣିରେ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ରହିଛନ୍ତି।
ପଥର ଖଣିରେ ୪ ଜଣ ଶ୍ରମିକ ଡ୍ରିଲ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଖଣି ଭିତରୁ ପଥର ଖଣ୍ଡ ଛିଟିକି ଶ୍ରମିକଙ୍କ ଉପରେ ପଡ଼ିଥିଲା। ୩ ଜଣ ଶ୍ରମିକଙ୍କର ପଥର ତଳେ ଚାପି ହୋଇ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
କାଞ୍ଚିକାଚାର୍ଲା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଶ୍ରମିକମାନେ ହେଲେ ଓଡ଼ିଶାର ବିବି ନାୟକ, ଆନ୍ଧ୍ରପ୍ରଦେଶର ବି ଦୁର୍ଗା ରାଜ ଓ ଛତିଶଗଡ଼ର ରାମଦେବ ଭାଗେଲ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: #AndhraPradesh #StoneQueryBlast #Death #PoliceInvestigation