ଓଡ଼ିଶାଲାଇଭ୍ ବ୍ୟୁରୋ
ଓମାନ ଉପକୂଳରେ ଏକ ତୈଳବାହୀ ଜାହାଜ ବୁଡ଼ି ଯାଇଛି। ଏଥିରେ ଥିବା ୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ ନାବିକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଏନେଇ ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ବୁଡ଼ି ଯାଇଥିବା ଜାହାଜର ନାଁ ‘ପ୍ରେଷ୍ଟିଜ୍ ଫାଲକନ୍’ ରହିଛି। ଏହା ଦୁବାଇର ହମରିଆ ବନ୍ଦରରୁ ୟେମେନର ଆଡେନ ବନ୍ଦରକୁ ଯାଉଥିଲା। ମଙ୍ଗଳବାର ଜାହାଜଟି ଓମାନର ଡକମ ବନ୍ଦରରୁ ୨୫ ନଟିକାଲ ମାଇଲ ଦକ୍ଷିଣ-ପୂର୍ବ ଦିଗରେ ଥିବାବେଳେ ଏହା ବୁଡ଼ି ଯାଇଥିଲା।
ଏହି ଜାହାଜରେ ୧୩ ଜଣ ଭାରତୀୟ ଏବଂ ୩ ଜଣ ଶ୍ରୀଲଙ୍କାର ନାଗରିକ କାର୍ଯ୍ୟରତ ଥିଲେ। ନିଖୋଜ ନାବିକମାନଙ୍କୁ ଠାବ କରିବା ପାଇଁ ଭାରତୀୟ ନୌସେନା ମଧ୍ୟ ଉଦ୍ଧାର ଅଭିଯାନରେ ସାମିଲ ହୋଇଛି। ଏନେଇ ନୌସେନା ପକ୍ଷରୁ ଯୁଦ୍ଧ ଜାହାଜ ଆଇଏନଏସ ତେଜ ଓ ପି-୮ଆଇ ବିମାନକୁ ଘଟଣା ସ୍ଥଳକୁ ପଠାଇଛି।
ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ରର ସୂଚନା ଅନୁସାରେ ତୈଳ ଟ୍ୟାଙ୍କରଟି ପାଣିରେ ବୁଡ଼ିଯିବା ପରେ ଓଲଟି ପଡ଼ିଛି। ତେବେ ସମୁଦ୍ରରେ ତେଲ କିମ୍ବା ତୈଳ ଜାତ ଦ୍ରବ୍ୟ ଲିକ୍ ହେଇଥିବା ନେଇ ସ୍ପଷ୍ଟ ହୋଇ ନାହିଁ।
Tags: #OilTanker #ShipCapsize #IndianSailors #Oman