ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଥିବା ଜାହାଜ ‘ଏମଭି ଲିଲା ନୋର୍ଫୋକ୍’କୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି ଭାରତୀୟ ନୌସେନା। ଏଥିରେ ଥିବା ୧୫ ଜଣ ଭାରତୀୟ ନାବିକଙ୍କ ସମେତ ମୋଟ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନୌସେନା ପକ୍ଷରୁ ଏହି ଉଦ୍ଧାର ଅଭିଯାନର ଭିଡିଓ ଜାରି କରାଯାଇଛି।

ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଏହି ଉଦ୍ଧାର ଅଭିଯାନରେ ଅପହରଣ ହୋଇଥିବା ଜାହାଜଟିକୁ ଠାବ କରି ଏଥିରେ ଥିବା ନାବିକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ଯୁଦ୍ଧ ଜାହାଜ ଆଇଏନଏସ୍ ଚେନ୍ନାଇକୁ ଘଟଣାସ୍ଥଳକୁ ଯାଇଥିଲା।

ଘଟଣାସ୍ଥଳରେ ନୌସେନା ପକ୍ଷରୁ ଜଳଦସ୍ୟୁମାନଙ୍କୁ ଜାହାଜ ଖାଲି କରିବା ତଥା ନାବିକମାନଙ୍କୁ ସୁରକ୍ଷିତ ଛାଡ଼ିବା ନେଇ ଚେତାବନୀ ଦିଆଯାଇଥିଲା। ଜଳଦସ୍ୟୁମାନେ ଭୟରେ ଜାହାଜ ଛାଡ଼ି ଚାଲିଯାଇଥିଲେ। ପରେ ନୌସେନାର ମାର୍କୋସ କମଣ୍ଡୋମାନେ ଜାହାଜ ଭିତରକୁ ଯାଇ ବନ୍ଧକମାନଙ୍କୁ ମୁକ୍ତ କରିଥିଲେ।

‘ଏମଭି ଲିଲା ନୋର୍ଫୋକ୍’ ଜାହାଜଟି ବ୍ରାଜିଲର ପୋର୍ଟ ଡୁ ଆକୋ ବନ୍ଦରରୁ ଯାତ୍ରା ଆରମ୍ଭ କରି ବାହାରିନର ଖଲିଫା ବିନ୍‌ ସଲମନ ବନ୍ଦରକୁ ଯାଉଥିଲା। ଗୁରୁବାର ସନ୍ଧ୍ୟାରେ ଜାହାଜଟି ସୋମାଲିଆଠାରୁ ପ୍ରାୟ  ୫୫୦ କିଲୋମିଟର ଦୂରରେ ଥିବାବେଳେ ୫ରୁ ୬ ଜଣ ସଶସ୍ତ୍ର ଜଳଦସ୍ୟୁ ଏହାକୁ ଅପହରଣ କରିଥିଲେ।

ଅପହରଣ ସମୟରେ ଜାହାଜଟି ଜରୁରୀକାଳୀନ ସିଗନାଲ୍ ଜାରି କରି ଏହାର ସୂଚନା ଦେଇଥିଲା। ଯୁକ୍ତ ରାଜ୍ୟ ସାମୁଦ୍ରିକ ବାଣିଜ୍ୟ ପ୍ରତିଷ୍ଠାନ (ୟୁକେଏମଟିଓ) ପୋର୍ଟାଲ ଜରିଆରେ ଭାରତୀୟ ନୌସେନାକୁ ଏହାର ଖବର ମିଳିଥିଲା। ଏହାପରେ ଜାହାଜଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନୌସେନା ପକ୍ଷରୁ ନିଜର ଯୁଦ୍ଧଜାହାଜ ଆଇଏନଏସ୍ ଚେନ୍ନାଇ ଓ ସାମୁଦ୍ରିକ ପାଟ୍ରୋଲିଂ ବିମାନ ‘ବୋଇଂ ପି-୮ ଆଇ’କୁ ମୁତୟନ କରାଯାଇଥିଲା।  

Tags: #MarchantShip #IndianSailors #ArabianSea #IndianNavy #Somalia    

Comment