ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ-ଗାଜା ଯୁଦ୍ଧକୁ କେନ୍ଦ୍ର କରି ଏବେ ଲୋହିତ ସାଗର ଓ ଆରବ ସାଗରରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ଇସ୍ରାଏଲ ଓ ଆମେରିକାର ବିରୋଧ କରି ୟେମେନର ହୁଥି ବିଦ୍ରୋହୀମାନେ ଏହି ଅଞ୍ଚଳରେ ଏକାଧିକ ପଣ୍ୟବାହୀ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଛନ୍ତି। ତେବେ ଆରବ ସାଗରରେ ସାମୁଦ୍ରିକ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଭାରତୀୟ ନୌସେନା ୩ଟି ଯୁଦ୍ଧ ଜାହାଜକୁ ଉକ୍ତ ଅଞ୍ଚଳକୁ ପଠାଇଛି।

ଭାରତୀୟ ନୌସେନା ପକ୍ଷରୁ ଯୁଦ୍ଧ ଜାହାଜ ଆଇଏନଏସ ମୋରମୁଗାଓ, ଆଇଏନଏସ କୋଚି ଏବଂ ଆଇଏନଏସ କୋଲକାତାକୁ ଆରବ ସାଗରରେ ମୁତୟନ କରାଯାଇଛି। ୟେମେନ, ଇରାନ ଓ ପାକିସ୍ତାନ ସୀମାକୁ ଲାଗୁଥିବା ଆରବ ସାଗରର ଅଞ୍ଚଳରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବେ।

ଏହି ଯୁଦ୍ଧ ଜାହାଜ ମାଧ୍ୟମରେ ଆରବ ସାଗର ଦେଇ ଭାରତ ଆସୁଥିବା ପଣ୍ୟବାହୀ ଜାହାଜଗୁଡ଼ିକର ସୁରକ୍ଷା କରିବାକୁ ନୌସେନା ପକ୍ଷରୁ ଯୋଜନା କରାଯାଇଛି। ଏହାସହ ସମୁଦ୍ରରେ ହୁଥି ବିଦ୍ରୋହୀ ଓ ଅନ୍ୟ ଜଳଦସ୍ୟୁଙ୍କ ଆକ୍ରମଣକୁ ପଣ୍ଡ କରିବା ପାଇଁ ମଧ୍ୟ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ କାର୍ଯ୍ୟ କରିବେ।  

ଅନ୍ୟପଟେ ଆରବ ସାଗର ଉପରେ ଯୁଦ୍ଧ ଜାହାଜ ସହ ନୌସେନା ପକ୍ଷରୁ ଦୀର୍ଘ ଦୂରତା ବିଶିଷ୍ଟ ସାମୁଦ୍ରିକ ପାଟ୍ରୋଲ୍ ବିମାନ ‘ପି-୮ଆଇ’ ଦ୍ଵାରା ଆକାଶରୁ ନଜର ରଖାଯିବ।

କିଛି ଦିନ ପୂର୍ବେ ଆରବ ସାଗର ଦେଇ ଭାରତ ଆସୁଥିବା ଏକ ପଣ୍ୟବାହୀ ଜାହାଜ ‘ଏମଭି କେମ ପ୍ଲୁଟୋ’ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା। ଭାରତ ଉପକୂଳ ନିକଟରେ ହୋଇଥିବା ଏହି ଆକ୍ରମଣ ପରେ ଆରବ ସାଗରରେ ସାମୁଦ୍ରିକ ସୁରକ୍ଷା ପାଇଁ ଭାରତୀୟ ନୌସେନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Tags: #IndianNavy #MaritimeSecurity #ArabianSea #HouthiRebels #InternationalTrade #India

Comment