ଓଡ଼ିଶାଲାଇଭ୍ ବ୍ୟୁରୋ

୧୫ ଜଣ ଭାରତୀୟ ନାବିକ ଥିବା ଏକ ବାଣିଜ୍ୟିକ ଜାହାଜର ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଛି। ଲାଇବେରିଆ ଦେଶର ପତାକା ଥିବା ‘ଏମଭି ଲିଲା ନୋର୍ଫୋକ୍’ ଜାହାଜଟିକୁ ଗୁରୁବାର ସନ୍ଧ୍ୟାରେ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି ଜରୁରୀକାଳୀନ ପରିସ୍ଥିତିରେ ଜାହାଜଟିକୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ଅଭିଯାନ ଆରମ୍ଭ କରିଛି।

ଗୁରୁବାର ସନ୍ଧ୍ୟାରେ ‘ଏମଭି ଲିଲା ନୋର୍ଫୋକ୍’ ଜାହାଜରେ ୫ରୁ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ପଶି ଏହାକୁ ହାଇଜାକ କରିନେଇଥିଲେ। ଏହି ସମୟରେ ଜାହାଜଟି ଜରୁରୀକାଳୀନ ସିଗନାଲ୍ ଜାରି କରି ଏହାର ସୂଚନା ଦେଇଥିଲା। ୟୁକେଏମଟିଓ ପୋର୍ଟାଲ ଜରିଆରେ ଭାରତୀୟ ନୌସେନାକୁ ଏହାର ଖବର ମିଳିଥିଲା।

ଏବେ ଭାରତୀୟ ନୌସେନା ଉକ୍ତ ଜାହାଜଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିଜର ଯୁଦ୍ଧଜାହାଜ ଆଇଏନଏସ୍ ଚେନ୍ନାଇକୁ ଘଟଣାସ୍ଥଳକୁ ପଠାଇଛି। ଏହାସହ ସାମୁଦ୍ରିକ ପାଟ୍ରୋଲିଂ ବିମାନ ‘ବୋଇଂ ପି-୮ ଆଇ’କୁ ମଧ୍ୟ ମୁତୟନ କରାଯାଇଛି।

ଶୁକ୍ରବାର ସକାଳେ ଭାରତୀୟ ନୌସେନାର ପାଟ୍ରୋଲିଂ ବିମାନ ଅପହୃତ ଜାହାଜକୁ ଠାବ କରିବାରେ ସଫଳ ହୋଇଛି। ନୌସେନା ପକ୍ଷରୁ ଜାହାଜର ନାବିକଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।

ତେବେ କେଉଁମାନେ ଏହି ଜାହାଜକୁ ଅପହରଣ କରିଛନ୍ତି ସେ ବିଷୟରେ ଏ ଯାଏଁ କୌଣସି ସଠିକ ତଥ୍ୟ ମିଳିପାରିନାହିଁ। ତେବେ ଜାହାଜଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସବୁ ଉଦ୍ୟମ କରାଯାଉଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।     

Tags: #MarchantShip #IndianSailors #ArabianSea #IndianNavy #Somalia

Comment