ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁଭ ମୁହୂର୍ତ୍ତରେ ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଗୁରୁବାର ସକାଳ ୯ଟା ୫୧ ମିନିଟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଏସଓପି ଅନୁଯାୟୀ ୧୧ ଜଣିଆ ଅଧିକୃତ ଟିମ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ଦୁଇଟି ନୂଆ ତାଲା ଖୋଲିଛନ୍ତି।
ଭିତର ଭଣ୍ଡାରର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଜ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଅଳଙ୍କାର ସ୍ଥାନାନ୍ତର ପରେ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ କରାଯାଇ ଚାବିକୁ ପୁଣି ଟ୍ରେଜେରିରେ ରଖାଯିବ।

ଅଳଙ୍କାରଗୁଡ଼ିକୁ ଷ୍ଟ୍ରଙ୍ଗରୁମରେ ନୂଆ ସିନ୍ଦୁକରେ ରଖିବା ପରେ ପୁରୁଣା ସିନ୍ଦୁକ ଏବଂ ଆମିରାଗୁଡ଼ିକୁ ମ୍ୟୁଜିୟମରେ ରଖିବାକୁ ଯୋଜନା ହୋଇଛି।
ଗଜପତି ମହାରାଜା ଦିବ୍ୟସିଂହ ଦେବ ଭିତର ରତ୍ନଭଣ୍ଡାରକୁ ଯିବା ଲାଗି ପୁରୀରେ ପହଞ୍ଚିଛନ୍ତି। ରତ୍ନଭଣ୍ଡାର ଖୋଲିବା ବେଳେ ସ୍ନେକ ହେଲ୍ପ ଲାଇନ, ଓଡ୍ରାଫ, ସ୍ଵେଚ୍ଛାସେବୀ, ଡାକ୍ତରୀ ଦଳ ମୁତୟନ ରହିବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଭିତର ରତ୍ନ ଭଣ୍ଡାରକୁ ଯିବାର କାର୍ଯ୍ୟକ୍ରମ ରହିଛି।
ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର କରାଯିବା ପରେ ମରାମତି କାମ ଆରମ୍ଭ କରିବ ଭାରତୀୟ ପ୍ରତ୍ନତାତ୍ତ୍ଵିକ ବିଭାଗ (ଏଏସଆଇ)।
ସକାଳ ୮ଟାରୁ ସାଧାରଣ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ସିଂହଦ୍ଵାରକୁ ଛାଡ଼ି ଅନ୍ୟ ସମସ୍ତ ୩ ଦ୍ଵାର ବନ୍ଦ ରହିଛି। କେବଳ ଅଧିକୃତ ସେବକମାନଙ୍କୁ ମନ୍ଦିର ମଧ୍ୟକୁ ଯିବେ।
ଦୀର୍ଘ ୪୬ ବର୍ଷର ଅପେକ୍ଷା ପରେ ଜୁଲାଇ ୧୪ ତାରିଖ, ରବିବାର ଦିନ ୧ଟା ୨୮ର ଶୁଭ ମୁହୂର୍ତ୍ତରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦ୍ଵାର ଖୋଲା ଯାଇଥିଲା। ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପୂର୍ବରୁ ୧୯୭୮ରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି କରାଯାଇଥିଲା।
Tags: #Ratnabhandar #Shreemandir #Puri #Odisha


















