ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକରେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ହୋଇଥିବାରୁ ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ସବୁ ମନ୍ତ୍ରୀ, ସାଂସଦ ଓ ଦଳର ଅନ୍ୟ ପଦାଧିକାରୀମାନେ ସାମିଲ ହୋଇଛନ୍ତି।
“ଚଳିତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଓଡ଼ିଶାର ବିକାଶ ପାଇଁ ବିଜେପିର ଡବଲ ଇଞ୍ଜିନ ସବୁବେଳେ ଉଦ୍ୟମ ଜାରି ରଖିବ। ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମେ କୌଣସି ସୁଯୋଗ ଛାଡ଼ିବୁ ନାହିଁ”, କହିଛନ୍ତି ଜେପି ନଡ୍ଡା।
ସେ ଆହୁରି ମଧ୍ୟ କହିଛନ୍ତି, “ଆଜିର ଦିନରେ ଦେଶର ୧୮ଟି ରାଜ୍ୟରେ ଏନଡିଏ ନେତୃତ୍ଵରେ ସରକାର ଚାଲିଛି। ସେଥରୁ ୧୩ଟି ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିଛି। ଓଡ଼ିଶାରେ ନିର୍ବାଚନ ସମୟରେ ବିଜେପି ଦେଇଥିବା ସବୁ ପ୍ରତିଶ୍ରୁତିକୁ ପୂରଣ କରିବ।”
ଶୁକ୍ରବାର ଅପରାହ୍ଣ ୩ଟା ସମୟରେ ଜେପି ନଡ୍ଡା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିଥିଲେ। ଜୁଲାଇ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ଏହି ବୈଠକ।
କେନ୍ଦ୍ରରେ ତୃତୀୟଥର ପାଇଁ ଏନଡିଏ ସରକାର ଏବଂ ଓଡ଼ିଶାରେ ବିଜେପିର ପ୍ରଥମଥର ସରକାର ଗଠନ ହେବା ପରେ ଏହି ବୈଠକ ହେଉଛି। ଏଠାରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।
ଏହି ବୈଠକରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଛନ୍ତି। ଏହାସହ ବୈଠକରେ ରାଜ୍ୟର ସବୁ ବିଜେପି ବିଧାୟକ, ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ସାମିଲ ହୋଇଛନ୍ତି।
Tags: #BJP #StateExecutivecommitteeMeeting #JPNadda #Puri