ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବେ। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ସବୁ ମନ୍ତ୍ରୀ ଓ ସାଂସଦମାନେ ବୈଠକରେ ସାମିଲ ହେବେ।

ଶୁକ୍ରବାର ଅପରାହ୍ଣ ୨ଟା ୩୦ ସମୟରେ ଜେ ପି ନଡ୍ଡା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ। ଜୁଲାଇ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ଏହି ବୈଠକ।

କେନ୍ଦ୍ରରେ ତୃତୀୟ ଥର ପାଇଁ ଏନଡିଏ ସରକାର ଏବଂ ଓଡ଼ିଶାରେ ବିଜେପିର ପ୍ରଥମଥର ସରକାର ଗଠନ ହେବା ପରେ ଏହି ବୈଠକ ହେଉଛି। ଏଠାରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।

ଏହି ବୈଠକରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି ଯୋଗ ଦେବେ। ଏହାସହ ବୈଠକରେ ରାଜ୍ୟର ସବୁ ବିଜେପି ବିଧାୟକ, ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Tags: #BJP #StateExecutivecommitteeMeeting #JPNadda #Puri

Comment