ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ (ହାରୋ) ପକ୍ଷରୁ ନୂଆ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଗାମୀ ୧୦୦ ଦିନ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମିଳିତ ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ ବୋଲି ହାରୋ ପକ୍ଷରୁ ଉଲ୍ଲେଖ କରାଯାଇଛି। ଏନେଇ ଶୁକ୍ରବାର ହାରୋ ଓ ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ ପକ୍ଷରୁ ମିଳିତ ଭାବେ ଏକ ପ୍ରେସବାର୍ତ୍ତା କରି ସୂଚନା ଦିଆଯାଇଛି।
ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଏ ଯାଏଁ ଯାହା ବି ବିକାଶ ହୋଇଛି ସେଥିରେ ଆହୁରି ଆଗକୁ ଯିବାର ସମ୍ଭାବନା ରହିଛି। ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରର କେଉଁ ଭଳି ଭାବେ ବିକାଶ ହେବା ଦରକାର ସେନେଇ ୨୬ଟି ଦିଗ ଉପରେ ଦୃଷ୍ଟି ଦେବା ପାଇଁ ହାରୋ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେଥିମଧ୍ୟରୁ ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ଵତନ୍ତ୍ର ପର୍ଯ୍ୟଟନ କମିଟି ଗଠନ, ପାନ୍ଥ ନିବାସଗୁଡ଼ିକୁ ଘୋରଇକରଣ କରିବା, ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟନ ସ୍ଥଳୀର ବ୍ୟାପକ ପ୍ରଚାର କରିବା ସାମିଲ ରହିଛି।
ସେହିପରି ପର୍ଯ୍ୟଟନର ବିକାଶ ପାଇଁ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏଠାରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାସହ ଓଡ଼ିଶାରେ ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେବାସହ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ହାରୋ।
ଅନ୍ୟପଟେ ଇକୋ-ଟୁରିଜିମ୍ର ବିକାଶ, ଅଧିକରୁ ଅଧିକ ନୂତନ ପର୍ଯ୍ୟଟନ ସ୍ଥଳର ବିକାଶ, ଧାର୍ମିକ ପୀଠର ବିକାଶ ପାଇଁ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ରେ ପରିବର୍ତ୍ତନ କରିବାର ଆବଶ୍ୟକତା ଥିବା ହାରୋ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଯେଉଁ ସବୁ ଯୋଜନା ଅଧୁରା ରହିଛି ସେ ସବୁକୁ ସାରିବା ପାଇଁ ନୂଆ ସରକାରଙ୍କ ନିକଟରେ ହାରୋ ପକ୍ଷରୁ ଅନୁରୋଧ କରାଯାଇଛି।
“ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ ଓ ସମ୍ଭାବନାର ଅଭାବ ନାହିଁ। ଏସବୁ ସ୍ଥାନକୁ ବିଦେଶରେ ପ୍ରଚାର ପ୍ରସାର କରିବାର ସମୟ ଆସିଛି। ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଆମ ରାଜ୍ୟକୁ ଆସିବେ ସେଥିପାଇଁ ଓଡ଼ିଶା ସରକାରଙ୍କୁ ଗୁରୁତ୍ୱ ଦେବା ଦରକାର। ଖାସକରି ଅଧିକ ବିଦେଶୀ ପର୍ଯ୍ୟଟକ ଆସିଲେ ହିଁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଆହୁରି ଆଗକୁ ଯାଇପାରିବ। ଏଥିପାଇଁ ଆମେ ନୂଆ ସରକାରଙ୍କୁ ଏକାଧିକ ପ୍ରସ୍ତାବ ଦେଇଛୁ। ରାଜ୍ୟ ସରକାର ସେ ଦିଗରେ ଦୃଷ୍ଟି ଦେବେ ବୋଲି ଆମର ଆଶା”, କହିଛନ୍ତି ହାରୋର ସଭାପତି ଜିତେନ୍ଦ୍ର କୁମାର ମହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାର ପ୍ରତ୍ୟେକ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସାମର୍ଥ୍ୟ ରହିଛି। ସାରା ଭାରତରେ ଯାହା ନାହିଁ, ତାହା ଓଡ଼ିଶାରେ ରହିଛି। ହେଲେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଅନ୍ୟ ରାଜ୍ୟ ତୁଳନାରେ ପଛରେ ପଡ଼ିଯାଇଛି। ଏହାକୁ ଉନ୍ନତ ଓ ଆକର୍ଷଣୀୟ କରିବାକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି।”
ପର୍ଯ୍ୟଟନର ବିକାଶରେ ରାଜ୍ୟ ଅର୍ଥନୀତି ବିକାଶ ହେବା ସହ ଅନେକ ନିଯୁକ୍ତି ସୃଷ୍ଟି ହେବ, ତେଣୁ ସରକାର ସବୁ କ୍ଷେତ୍ରର ବିକାଶ ସହ ପର୍ଯଟନ ଶିଳ୍ପ କ୍ଷେତ୍ରର ବିକାଶ କରିବା ଦରକାର ବୋଲି ହାରୋ ପକ୍ଷରୁ କୁହାଯାଇଛି। ଏନେଇ ଆଗାମୀ ୫ ବର୍ଷ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗ ଆଗକୁ ବଢୁ ବୋଲି ହାରୋ ପ୍ରସ୍ତାବ ଦେଇଛି।
ଏହି କାର୍ଯ୍ୟକ୍ରମରେ ହାରୋର ଉପସଭାପତି ରାଜକିଶୋର ପାତ୍ର, ଜୋନାଥନ ରାଉଳ, ସମ୍ପାଦକ ମିଲିନ୍ଦ ଗୁପ୍ତା, କୋଷାଧ୍ୟକ୍ଷ ସୁଜିତ କୁମାର ମହାପାତ୍ର, ଉପଦେଷ୍ଟା ଦୀପକ ଏସ ରାଠୋର, କ୍ରାଉନ ଭୁବନେଶ୍ଵରର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଓ ନବଗୁଞ୍ଜର ଟ୍ରାଭେଲ୍ସର ପରିଚାଳନା ନିର୍ଦ୍ଦେଶକ ତିମିର ବରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
Tags: #HotelandRestaurantAssociationofOdisha #TourismDevelopment #Tourists #HRAO #Odisha