ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2019/06/admission.jpg)
ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଶନିବାର ପ୍ରକାଶ ପାଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି। ରେଭେନ୍ସାରେ ଯୁକ୍ତ ୨ ବିଜ୍ଞାନରେ କଟଅଫ ମାର୍କ ୯୧.୫୦ ପ୍ରତିଶତ ଥିବାବେଳେ, ବାଣିଜ୍ୟରେ ୭୭ ପ୍ରତିଶତ ଓ କଳାରେ ୭୫.୧୭ ପ୍ରତିଶତ ରହିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନରେ ୮୭ ପ୍ରତିଶତ କଟଅଫ ମାର୍କ ସହ ଦ୍ଵିତୀୟ ସ୍ଥାନରେ ରହିଛି। ଏହାସହ ଏଠାରେ ଯୁକ୍ତ ୨ ବଣିଜ୍ୟରେ ୭୦ ପ୍ରତିଶତ ଓ କଳାରେ ୭୨.୩୩ ପ୍ରତିଶତ ରହିଛି। ଅନ୍ୟପଟେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣିଜ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି।
ଚଳିତବର୍ଷ ଯୁକ୍ତ ୨ ନାମଲେଖା ପାଇଁ ୪ ଲକ୍ଷ ୭୬ ହଜାର ୯୩ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କୁ ମଧ୍ୟରୁ ପ୍ରଥମ କଟଅଫରେ ମୋଟ ୪ ଲକ୍ଷ ୨୬ ହଜାର ୪୭୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଏଥିରୁ କଳାରେ ୨ ଲକ୍ଷ ୭୧ ହଜାର ୪୯୨, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଏବଂ ବାଣିଜ୍ୟରେ ୨୪ ହଜାର ୩୫୪ ଜଣ ସାମିଲ ଅଛନ୍ତି।
ଶନିବାର ପ୍ରକାଶିତ ଯୁକ୍ତ ୨ କଟଅଫ୍ ତାଲିକାରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାଁ ରହିଛି, ସେମାନେ ଜୁଲାଇ ୨୩ ତାରିଖ ମଧ୍ୟରେ ମନୋନୀତ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଛାତ୍ରଛାତ୍ରୀମାନେ ସାମ୍ସ ୱେସାଇଟରେ ନିଜେ କେଉଁଠାରେ ସିଟ୍ ପାଇଛନ୍ତି ଓ ସେଠାରେ କେତେ କଟଅଫ୍ ଅଛି ଜାଣିପାରିବେ।
Tags: #PlusTwoAdmissions #PlusTwoMeritList #Education #CHSE #Odisha