ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଶନିବାର ଏକବିଂଶତମ ଜାତୀୟ ପ୍ରାଣୀଧନ ଗଣନା ପାଇଁ ଆଞ୍ଚଳିକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଡାଇରୀ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଏସ ପି ସିଂହ ବଘେଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ ପଶୁପାଳନ କ୍ଷେତ୍ରର ଉନ୍ନତି ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଯତ୍ନବାନ ହେବାଲାଗି ସେ ପରାମର୍ଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଏହାର ବିଶେଷତା ବିଷୟରେ କହିଥିଲେ। ଏପରି ଗଣନା ଫଳରେ ପ୍ରାଣୀଙ୍କ ସୁରକ୍ଷା, ରୋଗ ନିରୀକ୍ଷଣ ଓ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ପ୍ରାଣୀଜ ଉତ୍ପାଦ ବୃଦ୍ଧି ଓ ପ୍ରଜନନ ଇତ୍ୟାଦି ଦିଗରୁ ବିବିଧ ସଫଳତା ମିଳିପାରିବ ବୋଲି ସେ ପ୍ରକାଶ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ପ୍ରାୟ ୨୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ଏଠାରେ ସେମାନଙ୍କୁ ମୋବାଇଲ୍ ଆପ୍ ଓ ଡ୍ୟାସ୍‌ବୋର୍ଡ ବ୍ୟବହାର ସାଙ୍ଗକୁ ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କ ଚିହ୍ନଟକରଣ ବାବଦରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା।

ଏଠାରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଡାଇରୀ ମନ୍ତ୍ରାଳୟର ବିଶେଷଜ୍ଞ ଏବଂ ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂସାଧନ ବ୍ୟୁରୋର ବୈଜ୍ଞାନିକମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଦେଇଥିଲେ। ଓଡ଼ିଶାରେ ପ୍ରାଣୀଧନ ଗଣନା ପାଇଁ କାର୍ଯ୍ୟକ୍ରମରେ ତାଲିମ ନେଇଥିବା ରାଜ୍ୟ ଓ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ମାଷ୍ଟର ଟ୍ରେନର ଭାବରେ ଦାୟିତ୍ୱ ନିର୍ବାହ କରିବେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଡାଇରୀ ମନ୍ତ୍ରାଳୟର ପରିସଂଖ୍ୟାନ ପରାମର୍ଶଦାତା ଜଗତ ହଜାରିକା, ନିର୍ଦ୍ଦେଶକ ଭି.ପି. ସିଂହ, ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂସାଧନ ବ୍ୟୁରୋର ନିର୍ଦ୍ଦେଶକ ଡାକ୍ତର ବି.ପି. ମିଶ୍ର ଏବଂ ଓଡ଼ିଶା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନିର୍ଦ୍ଦେଶକ ରାମାଶିଷ ହାଜ୍‌ରା ପ୍ରମୁଖ ଯୋଗ ଦେଇଥିଲେ।

Tags: #LivestockCensus #AnimalHusbandry #DeptofF&ARD #Odisha #MinistryofFAHD #India

Comment