ସତୀଶ ଶର୍ମା
ଆଉ ଗୋଟିଏ ଦିନ ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ ୨୦୨୪। ଏଥିରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ପୁରୁଷ ହକି ଦଳ ଫ୍ରାନ୍ସରେ ଜୋରଦାର ପ୍ରସ୍ତୁତି ଚଳାଇଛି। ଗତଥର ଟୋକିଓ ଅଲିମ୍ପିକରେ ହାସଲ କରିଥିବା ସଫଳତାଠାରୁ ଆହୁରି ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।
ଏଥର ପ୍ୟାରିସ ଅଲିମ୍ପିକ ପାଇଁ ଭାରତୀୟ ମହିଳା ଦଳ ଯୋଗ୍ୟତା ହାସଲ କରିପାରିନାହିଁ। କେବଳ ପୁରୁଷ ହକି ଦଳ ଯୋଗ୍ୟତା ଅର୍ଜନ କରିଥିବାବେଳେ ସେମାନଙ୍କ ପାଖରୁ ପଦକ ଆଶା ରଖିଛନ୍ତି କୋଟି କୋଟି କ୍ରୀଡ଼ା ପ୍ରେମୀ। ହେଲେ ଏଥର ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳର ପଦକ ଆଶା ଚ୍ୟାଲେଞ୍ଜିଂ ରହିବାର ସମ୍ଭାବନା ରହିଛି। ତେବେ ଏହି ପ୍ରତିଯୋଗିତାରେ ଭାରତୀୟ ହକି ଦଳ କିଭଳି ପ୍ରଦର୍ଶନ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିବ।
୧୯୨୮ ଅଲିମ୍ପିକରୁ ଆରମ୍ଭ ହୋଇଥିଲା ଭାରତୀୟ ହକିର ସ୍ଵର୍ଣ୍ଣିମ ଯାତ୍ରା
୧୯୨୮ ମସିହାରେ ନେଦରଲାଣ୍ଡସର ଆମଷ୍ଟରଡାମ ଅଲିମ୍ପିକରେ ଭାରତ ପ୍ରଥମଥର ପାଇଁ ହକି ଖେଳରେ ଅଂଶଗ୍ରହଣ କରି ନିଜର ସ୍ଵର୍ଣ୍ଣିମ ଅଲିମ୍ପିକ ଯାତ୍ରା ଆରମ୍ଭ କରିଥିଲା। ଜୟପାଲ ସିଂହ ମୁଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ହକି ଯାଦୁଗର ମେଜର ଧ୍ୟାନଚନ୍ଦ ମଧ୍ୟ ସାମିଲ ଥିଲେ। ଦଳ ଫାଇନାଲରେ ଚମତ୍କାର ପ୍ରଦର୍ଶନ ସହ ଆୟୋଜକ ନେଦରଲାଣ୍ଡସକୁ ୩-୦ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ଥିଲେ।
ଏହାପରେ ୧୯୫୬ ମସିହାର ମେଲବର୍ନ ଅଲିମ୍ପିକ ଯାଏଁ ଭାରତ କ୍ରମାଗତ ଭାବେ ୬ଟି ସ୍ଵର୍ଣ୍ଣ ପଦକ ଜିତିଥିଲା। ଅଲିମ୍ପିକ ଇତିହାସରେ ଭାରତ ପୁରୁଷ ହକିରେ ୮ଟି ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ, ୩ଟି ବ୍ରୋଞ୍ଜ ପଦକ ସହ ମୋଟ ୧୨ଟି ପଦକ ଜିତିଛି।
ଯେତେବେଳେ ବି ଭାରତ ଅଲିମ୍ପିକରେ ଯାଏ ସମସ୍ତଙ୍କ ଦୃଷ୍ଟି ହକି ଦଳ ଉପରେ ହିଁ ରହେ। ଗତଥର ଟୋକିଓ ଅଲିମ୍ପିକରେ ଭାରତ ୪୧ ବର୍ଷ ପରେ ପଦକ ଜିତି କୋଟି କୋଟି ଦେଶବାସୀଙ୍କୁ ଅବର୍ଣ୍ଣନୀୟ ଖୁସିରେ ପୋତି ଦେଇଥିଲେ। ହକି ପ୍ରେମୀମାନଙ୍କ ପାଇଁ ଏହି ବ୍ରୋଞ୍ଜ ପଦକ ନୀରଜ ଚୋପ୍ରାଙ୍କ ଜାଭେଲିନ ସ୍ଵର୍ଣ୍ଣ ପଦକଠାରୁ ଅଧିକ ପ୍ରସନ୍ନତା ପ୍ରଦାନକାରୀ ଥିଲା।
ପ୍ୟାରିସ ଅଲିମ୍ପିକରେ ପଦକ ସମ୍ଭାବନା
ଏବେ ଭାରତୀୟ ହକି ଦଳ ଅଧିକ ସ୍ଵର୍ଣ୍ଣିମ ସମ୍ଭାବନା ରଖି ପ୍ୟାରିସ ପହଞ୍ଚିଛି। ଅବଶ୍ୟ ଏଥର ଭାରତର ପ୍ରତିନିଧିତ୍ୱ କେବଳ ପୁରୁଷ ଦଳ ପର୍ଯ୍ୟନ୍ତ ସୀମିତ ରହିଛି। ଟୋକିଓରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନ ପାଇଥିବା ମହିଳା ଦଳ ଦୁର୍ଭାଗ୍ୟବଶତଃ ଏଥର ଅଲିମ୍ପିକ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷେ ପୁରୁଷ ଦଳ ୨୦୨୩ରେ ଚୀନର ହାଙ୍ଗଝୋଉଠାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତି ସିଧାସଳଖ ପ୍ୟାରିସ ପାଇଁ ଟିକେଟ୍ ପାଇଯାଇଥିଲେ।
ଏବେ ବିଶ୍ୱ କ୍ରୀଡ଼ାର ମହାକୁମ୍ଭରେ ଭାରତୀୟ ହକି ଦଳ କ’ଣ ଟୋକିଓ ପ୍ରଦର୍ଶନର ପୁନରାବୃତ୍ତି କରି ପାରିବ? ଏନେଇ କ୍ରୀଡ଼ାପ୍ରେମୀଙ୍କ ଅନେକ ଆଶା ରହିଥିଲେ ମଧ୍ୟ ଏଥର ପ୍ୟାରିସରେ ଦଳ ପାଇଁ ଏହା ସହଜ ହେବାର ସମ୍ଭାବନା କମ ରହିଛି।
ପ୍ୟାରିସ ଅଲିମ୍ପିକର ପୁରୁଷ ହକି ପ୍ରତିଯୋଗିତାରେ ଆସିଥିବା ୧୨ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ଗ୍ରୁପ ‘ବି’ରେ ରହିଥିବାବେଳେ ଏଥିରେ ଗତ ଅଲିମ୍ପିକର ବିଜେତା ବେଲଜିୟମ, ଉପବିଜେତା ଅଷ୍ଟ୍ରେଲିଆ ଭଳି ଦଳ ସହ ଆର୍ଜେଣ୍ଟିନା, ନ୍ୟୁଜିଲ୍ୟାଣ୍ଡ ଏବଂ ଆୟର୍ଲ୍ୟାଣ୍ଡ ରହିଛନ୍ତି।
ସେହିପରି ଗ୍ରୁପ ‘ଏ’ରେ ନେଦରଲାଣ୍ଡସ, ଜର୍ମାନୀ, ଗ୍ରେଟ ବ୍ରିଟେନ, ସ୍ପେନ, ଦକ୍ଷିଣ ଆଫ୍ରିକା ଏବଂ ଫ୍ରାନ୍ସ ରହିଛନ୍ତି। ଉଭୟ ବର୍ଗରେ ପ୍ରଥମେ ଲିଗ୍ ଭିତ୍ତିକ ମ୍ୟାଚ ଖେଳାଯିବ ଏବଂ ଉଭୟ ବର୍ଗରୁ ଲିଗ୍ ପର୍ଯ୍ୟାୟର ଶ୍ରେଷ୍ଠ ୪ଟି ଲେଖାଏଁ ଦଳ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିବେ।
ଅଲିମ୍ପିକ ପାଇଁ ଭାରତର ପ୍ରସ୍ତୁତି
ଭାରତୀୟ ହକି ଦଳ ବର୍ତ୍ତମାନ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି। ବିଶ୍ଵ ରାଙ୍କିଂରେ ବେଲଜିୟମ ତୃତୀୟ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି। ଏହି ଦୁଇ ଦଳ ଅଲିମ୍ପିକ ଗ୍ରୁପ ପର୍ଯ୍ୟାୟରେ ଭାରତର ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ରହିବେ। ତେବେ କ୍ଵାର୍ଟର ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଭାରତକୁ ଉପରୋକ୍ତ ଦୁଇ ଦଳ ସହ ଆର୍ଜେଣ୍ଟିନା, ନ୍ୟୁଜିଲ୍ୟାଣ୍ଡ ଏବଂ ଆୟର୍ଲ୍ୟାଣ୍ଡ ମଧ୍ୟରେ ମୁକାବିଲା କରିବାକୁ ହେବ।
ଆର୍ଜେଣ୍ଟିନା ଭାରତରୁ ଗୋଟିଏ ପାହାଁଚ ଉପରେ ଷଷ୍ଠ ସ୍ଥାନରେ ରହିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଦଶମ ଏବଂ ଆୟର୍ଲ୍ୟାଣ୍ଡ ଏକାଦଶ ସ୍ଥାନରେ ରହିଛି। ଚଳିତ ବର୍ଷରେ ସମାପ୍ତ ହୋଇଥିବା ଏଫଆଇଏଚ ପ୍ରୋ ଲିଗରେ ଆର୍ଜେଣ୍ଟିନା ଦଳ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଭାରତ ସପ୍ତମ ସ୍ଥାନ ପାଇଥିଲା।
ଭାରତର ଅଲିମ୍ପିକ କ୍ଵାର୍ଟର ଫାଇନାଲରେ ପହଞ୍ଚିବାରେ କୌଣସି କଷ୍ଟ ହେବ ନାହିଁ ଭଳି ଲାଗୁଛି। ହେଲେ ନିଜ ଗ୍ରୁପରେ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହିଲେ ଭାରତକୁ ଗ୍ରୁପ ‘ଏ’ ସର୍ବୋଚ୍ଚ ସ୍ଥାନ ପାଇଥିବା ଦଳଙ୍କ ବିରୋଧରେ ମ୍ୟାଚ ଖେଳିବାକୁ ପଡ଼ିପାରେ। ଏହି ପରିସ୍ଥିରେ ଭାରତକୁ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ନଚେତ ଭାରତ ପାଇଁ ବିପଦ ସୃଷ୍ଟି ହୋଇପାରେ।
ଏଥର ମ୍ୟାଚ ୟୁରୋପରେ ହେଉଛି। ନିଜ ପରିବେଶରେ ୟୁରୋପୀୟ ଦଳମାନେ ବିଶେଷକରି ନିର୍ଣ୍ଣାୟକ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି। ଏହା ଭାରତ ପାଇଁ ମସ୍ତ ବଡ଼ ଆହ୍ଵାନ ରହିବ।
କୋଚ କ୍ରେଗ ଫୁଲଟନଙ୍କ ଭାରତୀୟ ଦଳ ମ୍ୟାଚ ଜିତିବା ପାଇଁ ଅଧିନାୟକ ହରମନପ୍ରୀତ ସିଂହଙ୍କ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବା କ୍ଷମତା ଉପରେ ଅଧିକ ନିର୍ଭର କରୁଛି। ହରମନପ୍ରୀତ ସିଂହଙ୍କ ସହ ଅମିତ ରୋହିଦାସ ଡ୍ରାଗ ଫ୍ଲିକରେ ବିକଳ୍ପ ଭାବେ ଅଛନ୍ତି।
ଭାରତର ଅଭିଜ୍ଞ ଫରୱାର୍ଡ ଖେଳାଳି ଲଳିତ ଉପାଧ୍ୟାୟ, ମନ୍ଦୀପ ସିଂହଙ୍କ ଫର୍ମ ଏବେ ଦଳ ପାଇଁ ଚିନ୍ତାରେ ବିଷୟ ପାଲଟିଛି। ସେହିପରି ଭାରତୀୟ ଦଳର ପ୍ରଦର୍ଶନରେ ନିରନ୍ତରତାର ଅଭାବ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି।
ଚଳିତ ବର୍ଷ ଏପ୍ରିଲ ମାସରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୫ ମ୍ୟାଚ ବିଶିଷ୍ଟ ସିରିଜ୍ ଖେଳିଥିଲେ। ଭାରତ ଏହି ପାଞ୍ଚଟି ଯାକ ମ୍ୟାଚରେ ପରାଜିତ ହୋଇଥିଲା। ଏହାସହ ଚଳିତ ସିଜିନର ଏଫଆଇଏଚ ପ୍ରୋ ଲିଗରେ ଭାରତ ୧୬ଟି ମ୍ୟାଚରୁ କେବଳ ୫ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଥିଲା। ଦଳ ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ପରାଜୟ, ୬ଟି ମ୍ୟାଚ ଡ୍ର ରଖି ୨୪ ଅଙ୍କ ଅର୍ଜନ କରି ସପ୍ତମ ସ୍ଥାନରେ ରହିଥିଲା। ପ୍ରୋ ଲିଗରେ ଭାରତ ମୋଟ ୩୮ଟି ଗୋଲ କରିଥିଲା। ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ ସିଂହ ୧୨ଟି ଗୋଲ କରି ଦ୍ଵିତୀୟ ସ୍ଥାନରେ ରହିଥିଲେ।
ଏ ସବୁ ପରିସ୍ଥିତିକୁ ଅନୁଧ୍ୟାନ କଲେ ପ୍ୟାରିସ ଅଲିମ୍ପିକରେ ହକିରେ ପଦକ ହାସଲ କରିବା ଏତେଟା ସହଜ ହେବ ନାହିଁ। ଭାରତର କୌଣସି ଗୋଟିଏ ମ୍ୟାଚକୁ ସହଜ ବୋଲି କୁହାଯାଇ ପାରିବନାହିଁ। ଏଠାରେ ଭାରତୀୟ ଦଳକୁ ସବୁ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ଦେଶର ହକି ପ୍ରେମୀ ସବୁବେଳେ ଦଳର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଶା ବାନ୍ଧି ମ୍ୟାଚ ଦେଖିବେ। ଭାରତ ଯଦି ନିଜ ପ୍ରଦର୍ଶନରେ ନିରାନ୍ତରତା ବଜାୟ ରଖେ ତ ପଦକ ଜିତିବା କଷ୍ଟକର ହେବନାହିଁ।
ଅଲିମ୍ପିକରେ ଭାରତୀୟ ହକି ଦଳର ଖେଳସୂଚୀ
- ଜୁଲାଇ ୨୭ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ
- ଜୁଲାଇ ୨୯ – ଭାରତ ବନାମ ଆର୍ଜେଣ୍ଟିନା
- ଜୁଲାଇ ୩୦ – ଭାରତ ବନାମ ଆୟର୍ଲ୍ୟାଣ୍ଡ
- ଅଗଷ୍ଟ ୧ – ଭାରତ ବନାମ ବେଲଜିୟମ
- ଅଗଷ୍ଟ ୨ – ଭାରତ ବନାମ ଅଷ୍ଟ୍ରେଲିଆ
(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)
Tags: #ParisOlympics #Hockey #IndianMensHockeyTeam #Sports #OlympicMedal #Sports #HockeyIndia