ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୩-୨୪ ଆର୍ଥିକ ବର୍ଷରେ ୮.୫ ପ୍ରତିଶତ ହାରରେ ଓଡ଼ିଶାର ବିକାଶ 
  • ୨୦୨୨-୨୩ରେ ରାଜ୍ୟର ବିକାଶ ଦର ରହିଥିଲା ୭.୯ ପ୍ରତିଶତ
  • ଓଡ଼ିଶାର ପ୍ରତି ବ୍ୟକ୍ତି ମୁଣ୍ଡ ପିଛା ଆୟ ୧.୬୧ ଲକ୍ଷ ଟଙ୍କା ପାର୍

ଆସନ୍ତାକାଲି ରାଜ୍ୟର ବଜେଟ ଆସିବା ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୩-୨୪। ଏହି ରିପୋର୍ଟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ବିକାଶ ଦର ୮.୫ ପ୍ରତିଶତ ରହିବ ବୋଲି ଅକଳନ କରାଯାଇଛି। ଆର୍ଥିକ ବର୍ଷ ୨୦୨୨-୨୩ରେ ଓଡ଼ିଶାର ବିକାଶ ଦର ୭.୯ ପ୍ରତିଶତ ରହିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ବିକାଶ ହାର ଭାରତ ତୁଳନାରେ ଅଧିକ ରହିଥିବାର କୁହାଯାଇଛି। ରିପୋର୍ଟ ଅନୁସାରେ ୨୦୨୩-୨୪ରେ ଓଡ଼ିଶାବାସୀଙ୍କ ପ୍ରତି ବ୍ୟକ୍ତି ମୁଣ୍ଡପିଛା ଆୟ ବଢ଼ି ୧ ଲକ୍ଷ ୬୧ ହଜାର ୪୩୭ ଟଙ୍କାରେ ପହଞ୍ଚିଛି। ୨୦୧୫-୧୬ରେ ଏହା ୬୪ ହଜାର ୮୩୫ ଟଙ୍କା ଥିଲା। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ହାରରେ ବଢ଼ିଛି।

ନୀତି ଆୟୋଗ ଅନୁଯାୟୀ ରାଜ୍ୟରେ ବହୁବିଧ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି। ଏହି ବର୍ଷ ଭିତରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। 

ଓଡ଼ିଶାର ପ୍ରାୟ ୪୭ ପ୍ରତିଶତ ଲୋକ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ। ରାଜ୍ୟର ଅର୍ଥନୀତିରେ ଏହା ୨୦.୪ ପ୍ରତିଶତ ଯୋଗଦାନ ଦେଉଛି। ରିପୋର୍ଟ ଆନୁସାରେ ରାଜ୍ୟର କୃଷି କ୍ଷେତ୍ରର ବିକାଶ ହର ୩.୫ ପ୍ରତିଶତ ରହିଛି।

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୨୩-୨୪ରେ ରାଜ୍ୟରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୮.୭ ପ୍ରତିଶତ ରହିଛି। ସେହିଭଳି ଓଡ଼ିଶାର ସେବା କ୍ଷେତ୍ର ୯.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ସେବା କ୍ଷେତ୍ର ଓଡ଼ିଶାର ଅର୍ଥନୀତିରେ ୩୬.୪ ପ୍ରତିଶତ ଯୋଗଦାନ କରୁଛି।

ଓଡ଼ିଶାର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରତିବର୍ଷ ବଜେଟ ପୂର୍ବଦିନ ବିଧାନସଭାରେ ଉପସ୍ଥାପନ କରାଯାଏ। ଏହାକୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏହାକୁ ପ୍ରସ୍ତୁତ କରିଥାଏ।

Tags: #Budget2024-25 #OdishaEconomicSurvey #StateGDP #OdishaAssembly #Odisha

Comment