ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ ୨୦୨୪-୨୫। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ରାଜ୍ୟର ନୂଆ ସରକାର ଆଣିଥିବା ଏହି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ।

ଆଜି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

“ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲୁ। ସେହି ପରିପ୍ରେକ୍ଷୀରେ ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟରେ ଆଜିର ଏହି ବଜେଟ ପ୍ରସ୍ତୁତ କରାଯାଇଛି। ଏଥିରେ ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ଥିବା ଆମର ସଂକଳ୍ପ ଏହା ଦ୍ଵାରା ପୂରଣ ହେବ ବୋଲି ମୋର ବିଶ୍ଵାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

  • ରାଜ୍ୟରେ ସଡ଼କ ଓ ସେତୁ ନିର୍ମାଣ ପାଇଁ ୧୫ ହଜାର ୮୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ୧,୭୨୧ କିଲୋମିଟର ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।
  • ଖଣି ଓ ଇସ୍ପାତ ବିଭାଗ ପାଇଁ ବଜେଟରେ ୪୫୬ କୋଟି ଟଙ୍କାର ବ୍ୟୟବରାଦ। ଶକ୍ତି ବିଭାଗ ପାଇଁ ୩,୩୫୫ କୋଟି ଟଙ୍କା ବ୍ୟୟବରାଦ।
  • ରାଜ୍ୟ ପର୍ଯ୍ୟଟନ ବିଭାଗ ପାଇଁ ବଜେଟରେ ୮୧୭ କୋଟି ଟଙ୍କାର ବ୍ୟୟବରାଦ। ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯,୪୫୬ କୋଟି ଟଙ୍କାର ବ୍ୟବସ୍ଥା।
  • ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧୀନରେ ବଜେଟ୍ ୧୯୭୬ କୋଟି ଟଙ୍କାର ବ୍ୟବସ୍ଥା କରିବେ ରାଜ୍ୟ ସରକାର।
  • ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ବଜେଟରେ ୧୦୦୦ କୋଟି ଟଙ୍କା ଏବଂ ରାଜ୍ୟରେ ସଡ଼କ ଓ ସେତୁ ନିର୍ମାଣ ପାଇଁ ୧୫ ହଜାର ୮୬୫ କୋଟି ଟଙ୍କା ବ୍ୟୟବରାଦ।
  • ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା ବ୍ୟୟବରାଦ। ୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ପାରାଦୀପ, ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ବିକାଶ ନିଷ୍ପତ୍ତି।
  • କ୍ରୀଡା ଓ ଯୁବ ସେବା ବିଭାଗ ପାଇଁ ୧ ହଜାର ୩୧୫ କୋଟି ଟଙ୍କାର ବଜେଟ୍। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୯୫୨ କୋଟି ଟଙ୍କା ବ୍ୟୟବରାଦ।
  • ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ବଜେଟରେ ୫୦ କୋଟି ଟଙ୍କା ବ୍ୟୟବରାଦ।
  • ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ବ୍ୟୟବରାଦ।
  • ମୋ ସ୍କୁଲ ଯୋଜନାର ନାଁ ବଦଳି ହେବ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ। ଏଥିପାଇଁ ବଜେଟରେ ୩୩୨ କୋଟି ଟଙ୍କା ବ୍ୟୟବରାଦ।
  • ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ।
  • ଅନାଥ ଶିଶୁଙ୍କ ସହାୟତା ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’ ଆରମ୍ଭ କରିବାକୁ ଘୋଷଣା। ଏଥିପାଇଁ ବଜେଟରେ ୮୩ କୋଟି ଟଙ୍କାର ପ୍ରାବଧାନ।
  • ମଧୁବାବୁ ପେନସନ ଯୋଜନା ପାଇଁ ୪,୪୮୭ କୋଟି ଟଙ୍କା ବ୍ୟୟ ବରାଦ।
  • ସାମାଜିକ ସୁରକ୍ଷା ଭତ୍ତା ପାଇଁ ୭ ହଜାର ୬୦୦ କୋଟି ଟଙ୍କା ବ୍ୟୟବରାଦ। ଏହି ଭତ୍ତାର ପରିମାଣ ୩ ହଜାର ୫୦୦ ଟଙ୍କାକୁ ବଢ଼ାଇବାକୁ ନିଷ୍ପତ୍ତି।
  • ବଜେଟରେ ସାମାଜିକ ସୁରକ୍ଷା ପାଇଁ ୭,୬୦୦ କୋଟି ଟଙ୍କା ଏବଂ ଭିନ୍ନକ୍ଷମ କଲ୍ୟାଣ ପାଇଁ ୩୦୨ କୋଟି ଟଙ୍କା ବ୍ୟୟବରାଦ।
  • ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ବଜେଟରେ ବ୍ୟୟବରାଦ ହେଲା ୨ ହଜାର ୪୬୨ କୋଟି ଟଙ୍କା।
  • ଏସିସିବି ମେଡିକାଲ ପୁନଃବିକାଶ ପାଇଁ ୧ ହଜାର କୋଟି ଟଙ୍କା ଏବଂ ଆମ ହସ୍ପିଟାଲ ଯୋଜନା ପାଇଁ ୧ ହଜାର ୩୧୪ କୋଟି ଟଙ୍କା ବ୍ୟୟବରାଦ।
  • ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମଧ୍ୟ ବଜେଟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
  • ଓଡ଼ିଶାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିବାକୁ ସରକାରଙ୍କ ଘୋଷଣା।
  • ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି ଟଙ୍କା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ।
  • ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ବଜେଟରେ ୨୧ ହଜାର ୨୦୦ କୋଟି ଟଙ୍କା ବ୍ୟୟବରାଦ।
  • ସୁଭଦ୍ରା ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା। ଏଥିପାଇଁ ୧୦ ହଜାର କୋଟିର ବ୍ୟୟବରାଦ।
  • ବଜେଟରେ ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୧୫ ହଜାର ୧୮୦ କୋଟି ଟଙ୍କା ବ୍ୟୟବରାଦ। ମିଶନ ଶକ୍ତି ପାଇଁ ୨,୭୬୧ କୋଟି ଟଙ୍କାର ବ୍ୟବସ୍ଥା।
  • ଓଡ଼ିଶା ମତ୍ସ୍ୟ ମିଶନ ପାଇଁ ୩୪୪ କୋଟି ଟଙ୍କା ଏବଂ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ପାଇଁ ୧୮୯ କୋଟି ଟଙ୍କା ବ୍ୟୟବରାଦ।
  • ରାଜ୍ୟରେ ସିଏମ କିଷାନ ଯୋଜନା ପାଇଁ ୧,୯୩୫ କୋଟି ଟଙ୍କା ଏବଂ ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କା ବ୍ୟୟବରାଦ।
  • ରାଜ୍ୟରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। ସମୃଦ୍ଧ କୃଷକ ଯୋଜନା ଅନ୍ତର୍ଗତ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ।
  • ରାଜ୍ୟରେ କୃଷି କ୍ଷେତ୍ର ପାଇଁ ବଜେଟରେ ୩୩ ହଜାର ୯୧୯ କୋଟି ଟଙ୍କା ବ୍ୟୟବରାଦ। ଗତବର୍ଷ କୃଷି ପାଇଁ ୨୪ ହଜାର ୮୨୯ କୋଟି ଟଙ୍କା ଥିଲା।
  • ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ୪୨୦ କୋଟି ଟଙ୍କାର ବ୍ୟୟବରାଦ।
  • ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ବ୍ୟୟବରାଦ।
  • ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ନେଇ ବଜେଟରେ ବ୍ୟୟବରାଦ କରାଯାଇଛି।
  • ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପିତ। ୨୦୨୩-୨୪ ତୁଳନାରେ ଚଳିତ ବଜେଟ ପରିମାଣ ୧୫ ପ୍ରତିଶତ ଅଧିକ।

Tags: #Budget2024-25 #OdishaAssembly #CMMohanCharanMajhi #FinanceDept #Odisha

Comment