ଆଶିଷ କୁମାର ରାୟ
ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ୨୦୨୧ ମସିହା ଅଲିମ୍ପିକ୍ସରେ ଭାରତ ହାସଲ କରିଥିଲା ଏକ ଅବିଶ୍ୱସନୀୟ ସଫଳତା। ତାହା ଥିଲା ଭାରତୀୟ ପୁରୁଷ ହକି ଦଳର ବ୍ରୋଞ୍ଜ ପଦକ ବିଜୟ। ଆଉ ଅଲିମ୍ପିକ୍ସର ହକି ଖେଳରେ ଏହି ପଦକ ମିଳିଥିଲା ୪୧ ବର୍ଷ ପରେ। ଏହାପୂର୍ବରୁ ୧୯୮୦ର ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲା ବାସୁଦେବନ ଭାସ୍କରନଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ। ଏହାର ଦୀର୍ଘ ବର୍ଷ ପରେ ଅର୍ଥାତ୍ ନଅଟି ଅଲିମ୍ପିକ୍ସରୁ ଶୂନ୍ୟ ହସ୍ତରେ ଫେରିବା ପରେ ୨୦୨୧ରେ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଏହି ପଦକଟି ମିଳିଲା, ତାହା ବ୍ରୋଞ୍ଜପଦକ ହୋଇଥିଲେ ହେଁ ସମଗ୍ର ଦେଶରେ ଖେଳାଇଦେଲା ଆନନ୍ଦର ଲହରୀ।
ଏହି ପଦକ ବିଜୟୀ ଭାରତୀୟ ଦଳରେ ସାମିଲ ଥିଲେ ସୁନ୍ଦରଗଡ଼ ଜିଲ୍ଲାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ଅନ୍ୟ ଖେଳାଳିଙ୍କ ସହିତ ଏ ଦୁହିଁଙ୍କର ପ୍ରଦର୍ଶନ ମଧ୍ୟ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର। ଏମାନେ ପଦକ ଜିତି ଆମ ରାଜ୍ୟର ଗୌରବ ବହୁଗୁଣିତ କରିଥିଲେ।
ଅଲିମ୍ପିକ୍ସ ହକିରେ ଭାରତର ଗୌରବମୟ ଇତିହାସ
ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଭାବେ ପରିଚିତ ଅଲିମ୍ପିକର ହକି ଖେଳରେ ଭାରତର ଏକ ଗୌରବମୟ ଇତିହାସ ରହିଛି। ଅଲିମ୍ପିକର ହକିରେ ଭାରତ ହାସଲ କରିଛି ଆଠଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନିଟି ବ୍ରୋଞ୍ଜପଦକ।
ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୨୮ରୁ ୧୯୩୬ ମସିହା ମଧ୍ୟରେ ଆୟୋଜିତ ତିନିଟି ଅଲିମ୍ପିକର ହକି ଖେଳରେ ଭାରତ ହାସଲ କରିଥିଲା ତିନିଟି ସ୍ୱର୍ଣ୍ଣପଦକ। ତାହା ଥିଲା ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଯୁଗ। ଏହାପରେ ୧୯୩୯ରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ଦୁଇ ଦୁଇଟି ଅଲିମ୍ପିକର ଆୟୋଜନ ସମ୍ଭବ ହୋଇ ପାରିନଥିଲା। ଅନ୍ୟଥା ସେଥିରେ ମଧ୍ୟ ଭାରତ ସ୍ୱର୍ଣ୍ଣ ହାସଲ କରି ପାରିଥାନ୍ତା, କାରଣ ସେତେବେଳେ ଆମ ଦେଶ ଥିଲା ହକି ଜଗତର ଅପ୍ରତିଦ୍ୱନ୍ଦୀ ଶକ୍ତ।
ଭାରତ ସ୍ୱାଧୀନ ହେବା ପରେ ୧୯୪୮ରୁ ୧୯୫୬ ପର୍ଯ୍ୟନ୍ତ ତିନିଟି ଅଲିମ୍ପିକରେ ମଧ୍ୟ ଭାରତକୁ ମିଳିଥିଲା କ୍ରମାଗତ ଭାବେ ଆଉ ତିନିଟି ସ୍ୱର୍ଣ୍ଣପଦକ। ତେବେ ୧୯୬୦ ମସିହା ଅଲିମ୍ପିକର ଫାଇନାଲରେ ପାକିସ୍ତାନଠାରୁ ପରାଜିତ ହେବା ଫଳରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ପରବର୍ତ୍ତୀ ୧୯୬୪ର ଅଲିମ୍ପିକରେ କିନ୍ତୁ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ପୂର୍ବ ଅଲିମ୍ପିକରେ ମିଳିଥିବା ପରାଜୟର ପ୍ରତିଶୋଧ ନେବା ସହିତ ପୁନର୍ବାର ସ୍ୱର୍ଣ୍ଣ ଜିତିଥିଲା। ଏହାପରେ ୧୯୬୮ ଓ ୧୯୭୨ରେ ବ୍ରୋଞ୍ଜପଦକ ଏବଂ ୧୯୮୦ର ଅଲିମ୍ପିକରେ ପ୍ରମୁଖ ଦେଶମାନଙ୍କର ଅନୁପସ୍ଥିତିରେ ସ୍ୱର୍ଣ୍ଣପଦକ ମିଳିଥିଲା। ବାସ୍ ତା’ପରେ ଅଲିମ୍ପିକର ହକି ଖେଳରେ ପଦକଟିଏ ପାଇଁ ଆମ ଦେଶକୁ ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷା କରିବାକୁ ପଡିଲା।
ଭାରତୀୟ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ
୧୯୭୬ର ମଣ୍ଟ୍ରିଅଲ୍ ଅଲିମ୍ପିକରେ ଭାରତ ସପ୍ତମ ସ୍ଥାନ ହାସଲ କରି ପ୍ରଥମଥର ସକାଶେ ପଦକରୁ ବଞ୍ଚିତ ରହିଥିଲା। ଏହାପରେ ସୋଭିଏତ ରୁଷର ରାଜଧାନୀ ମସ୍କୋଠାରେ ଅନୁଷ୍ଠିତ ୧୯୮୦ର ଅଲିମ୍ପିକକୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଏହାର ସହଯୋଗୀ ଦେଶମାନେ ବର୍ଜନ କରିବାରୁ ହକି ଖେଳରେ ଭାରତକୁ ଫାଇଦା ମିଳିଲା। ଭାରତୀୟ ଦଳ ଏହି ଅଲିମ୍ପିକର ଫାଇନାଲରେ ସ୍ପେନକୁ ୪-୩ରେ ହରାଇ ସ୍ୱର୍ଣ୍ଣ ଜିତିନେଲା। ତା’ପରେ କିନ୍ତୁ ବାରମ୍ବାର ଆମକୁ ନିରାଶ ହେବାକୁ ପଡ଼ିଲା।
୧୯୮୪ର ଲସ୍ ଆଞ୍ଜଲସ୍ ଅଲିମ୍ପିକରୁ ଆରମ୍ଭ କରି ୨୦୧୬ର ରିଓ ଅଲିମ୍ପିକ ପର୍ଯ୍ୟନ୍ତ ନଅଟି କ୍ରୀଡ଼ାରେ ଆମ ହକି ଦଳକୁ ଶୂନ୍ୟହସ୍ତରେ ଫେରିବାକୁ ପଡ଼ିଥିଲା। ଏଥିରେ ୨୦୦୮ ମସିହାର ବେଜିଂ ଅଲିମ୍ପିକରେ ଭାରତୀୟ ହକି ଦଳ ପ୍ରଥମଥର ପାଇଁ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଥିଲା। ଏହାପରେ ରିଓ ଡି ଜାନେଇରୋ ଠାରେ ଅନୁଷ୍ଠିତ ୨୦୧୬ର ଅଲିମ୍ପିକ୍ରେ ଭାରତର ପୁରୁଷ ହକି ଦଳ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ଅଷ୍ଟମ ସ୍ଥାନରେ ରହି ଯାଇଥିଲା।
ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳର ଯାତ୍ରା
୨୦୨୧ରେ ଟୋକିଓ ଅଲିମ୍ପିକରେ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ହକି ଦଳ କରିଥିଲା ଅବିସ୍ମରଣୀୟ ପ୍ରଦର୍ଶନ। ତେବେ ଭାରତୀୟ ଦଳ ଯେ ଏଭଳି ସୁନ୍ଦର ପ୍ରଦର୍ଶନ କରିବ ତାହା ଥିଲା ଅନେକଙ୍କ କଳ୍ପନାର ବାହାରେ।
ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ କଷ୍ଟେମଷ୍ଟେ ୩-୨ ଗୋଲରେ ହରାଇଥିଲା ଭାରତୀୟ ଦଳ। ଏହି ମ୍ୟାଚରେ ଭାରତ ପାଇଁ ରୂପିନ୍ଦରପାଲ ସିଂହ ଗୋଟିଏ ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂହ ସ୍କୋର କରିଥିଲେ ଦୁଇଟି ଗୋଲ। ଏହାପରେ କିନ୍ତୁ ଦ୍ଵିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ସହିତ ଯାହା ଘଟିଲା ସେଥିରେ ଭାରତୀୟ ଦଳର ସାମର୍ଥ୍ୟ ଉପରେ ପ୍ରଶ୍ନଚିହ୍ନ ଲାଗିଗଲା।
ଅଷ୍ଟ୍ରେଲିଆଠାରୁ ଭାରତ ହାରିଲା ୭-୧ ଗୋଲରେ। ଏଡି ଓକେନ୍ଡେନ୍ ଏବଂ ଆରୋନ୍ ଜାଲୋସ୍କିଙ୍କ ମିଳିତ ଅଧିନାୟକତ୍ୱରେ ରହିଥିବା ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚରେ ଏଭଳି ପ୍ରଭାବ ବିସ୍ତାର କରିଥିଲା ଯେ ଲାଗୁଥିଲା ଭାରତର ଖେଳାଳିମାନେ ସଂପୂର୍ଣ୍ଣ ଭାବେ ଆତ୍ମ ସମର୍ପଣ କରି ଦେଇଛନ୍ତି।
ତୃତୀୟ ମ୍ୟାଚରୁ ଦେଖିବାକୁ ମିଳିଲା ଭାରତର ପରାକ୍ରମ
ତେବେ ଅଷ୍ଟ୍ରେଲିଆ ହାତରୁ ପରାଜୟ ପରେ ଆମ ଖେଳାଳିମାନେ ସଂଘବଦ୍ଧ ହୋଇ ନିଜର ପରାକ୍ରମ ଦେଖାଇବାକୁ ଆରମ୍ଭ କଲେ। ସେମାନେ ଏଭଳି ଖେଳ ଦେଖାଇଲେ ଯେ ସମର୍ଥକଙ୍କ ନିରାଶା ଦୂର ହେବାକୁ ଲାଗିଲା। ତୃତୀୟ ମ୍ୟାଚରେ ସିମରନଜୀତ ସିଂହଙ୍କ ଗୋଟିଏ ଗୋଲ ଓ ରୂପିନ୍ଦରପାଲଙ୍କ ଦୁଇଟି ଗୋଲ ସହାୟତାରେ ସ୍ପେନକୁ ୩-୦ରେ ପରାସ୍ତ କଲା ଭାରତ।
ଏହାପରେ ପରାଜିତ ହେବାର ପାଳି ପଡ଼ିଲା ରିଓ ଅଲିମ୍ପିକର ବିଜେତା ଆର୍ଜେଣ୍ଟିନା ଦଳର। ଆଜେଣ୍ଟିନାକୁ ଭାରତ ହରାଇଲା ୩-୧ ଗୋଲରେ। ଭାରତ ପକ୍ଷରୁ ବରୁଣ କୁମାର, ବିବେକ ସାଗର ଓ ହରମନପ୍ରୀତ ଗୋଲ ସ୍କୋର କରିଥିଲେ।
ଅନ୍ତିମ ଲିଗ୍ ମ୍ୟାଚରେ ଭାରତୀୟ ଦଳ ଜାପାନକୁ ୫-୩ ଗୋଲରେ ପରାସ୍ତ କଲା। ଭାରତ ପକ୍ଷରୁ ଗୁରଜନ୍ତ ସିଂହ ଦୁଇଟି ଗୋଲ ଦେଇଥିବା ସ୍ଥଳେ ହରମନପ୍ରୀତ, ଶମଶେର ସିଂହ ଓ ନୀଲକାନ୍ତ ଶର୍ମା ଦେଇଥିଲେ ଗୋଟିଏ ଲେଖାଏଁ ଗୋଲ। ଗ୍ରୁପ-ଏ ରେ ଅଷ୍ଟ୍ରେଲିଆ ପଛକୁ ରହି ଭାରତ ସେମି ଫାଇନାଲରେ ପ୍ରବେଶ କରିବା ଦିଗରେ ସମର୍ଥ ହେଲା।
ଭାରତ ଜିତିଲା ବ୍ରୋଞ୍ଜ ପଦକ
ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିବା ପରେ କ୍ୱାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲ୍ରେ ହରାଇ ଦେଲା ଭାରତୀୟ ଦଳ। ଏହି ମ୍ୟାଚରେ ଦଳ ପକ୍ଷରୁ ଦୀଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ହାର୍ଦ୍ଦିକ ସିଂହ ଦେଇଥିଲେ ଏହି ତିନିଟି ଗୋଲ।
ତେବେ ସେମି ଫାଇନାଲରେ ବିଶ୍ୱ ଚାମ୍ପିଆନ୍ ବେଲଜିୟମ୍ ନିକଟରୁ ପରାଜିତ ହେଲା ଭାରତ। ଫେଲିକ୍ସ ଡେନାୟାରଙ୍କ ନେତୃତ୍ୱରେ ବେଲଜିୟମ ଦଳ ସେମି ଫାଇନାଲ ମ୍ୟାଚରେ ୫-୨ ଗୋଲରେ ବିଜୟୀ ହେଲା। ଅନ୍ୟ ସେମି ଫାଇନାଲରେ ଅଷ୍ଟ୍ରେଲିଆ ୩-୧ରେ ପରାସ୍ତ କରିଥିଲା ଜାର୍ମାନୀକୁ।
ଫାଇନାଲ ମୁକାବିଲାରେ ବେଲଜିୟମ ଦଳ ଟାଇବ୍ରକରରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହି ପ୍ରତିଯୋଗିତାରେ ଭାରତକୁ ପରାସ୍ତ କରିଥିବା ବେଲଜିୟମ ଓ ଅଷ୍ଟ୍ରେଲିଆ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିନେଲେ।
ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଅନୁଷ୍ଠିତ ଏକ ରୋମାଞ୍ଚକର ପ୍ଲେ ଅଫ୍ ମୁକାବିଲାରେ ଟୋବିୟାସ୍ ହାଉକାଙ୍କ ନେତୃତ୍ୱାଧୀନ ଜର୍ମାନୀ ଦଳକୁ ୫-୪ ଗୋଲରେ ପରାସ୍ତ କରି ଭାରତ ହାସଲ କରିନେଲା ବ୍ରୋଞ୍ଜପଦକ। ଜର୍ମାନୀ ଏହି ମ୍ୟାଚରେ ଏକଦା ୩-୧ ଗୋଲରେ ଅଗ୍ରଣୀ ରହିଥିଲେ ହେଁ ଆମ ଖେଳାଳିମାନେ ଲଢ଼ୁଆ ଖେଳ ପ୍ରଦର୍ଶନ କରି ପ୍ରଥମାର୍ଦ୍ଧର ଶେଷ ଆଡ଼କୁ ସ୍କୋର ୩-୩ରେ ବରାବର କରିନେଲେ।
ଏହାପରେ ଦ୍ୱିତୀୟର୍ଦ୍ଧରେ ଭାରତ ଆଉ ଦୁଇଟି ଗୋଲ ଦେଇ ସ୍କୋରକୁ ୫-୩ କରିଦେଲା। ସିମରନଜୀତ ସିଂହ ଦୁଇଟି ତଥା ହାର୍ଦ୍ଦିକ, ହେମନପ୍ରୀତ ଓ ରୂପିନ୍ଦର ଗୋଟିଏ ଲେଖାଏଁ ଗୋଲ ଦେଇ ଭାରତକୁ ବିଜୟୀ କରାଇଲେ। ଜର୍ମାନୀ ପକ୍ଷରୁ ମ୍ୟାଚରେ ଆଉ ଗୋଟିଏ ମାତ୍ର ଗୋଲ ହେବାରୁ ଭାରତ ହାସଲ କଲା ଏକ ସଂଘର୍ଷପୂର୍ଣ୍ଣ ବିଜୟ। ଏହା ସହିତ ଚିର ଈପସିତ ବ୍ରୋଞ୍ଜପଦକ, ଯାହାକି ସାରା ଦେଶରେ ସୃଷ୍ଟି କରିଥିଲା ଆନନ୍ଦର ବାତାବରଣ। ଯଦି ଏହି ପଦକଟି ମିଳିନଥାନ୍ତା ତେବେ ଦେଶର ଅଗଣିତ ହକି ପ୍ରେମୀଙ୍କ ମନରେ ଅବସୋସ ରହିଯାଇଥାନ୍ତା।
ଦଳୀୟ ପ୍ରୟାସର ବିଜୟ
ସମୁଦାୟ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ସ୍କୋର ହୋଇଥିବା ୨୫ଟି ଗୋଲ୍ ୧୧ଜଣ ଖେଳାଳିଙ୍କ ଷ୍ଟିକ୍ରୁ ଆସିଥିଲା ଯାହାକି ଦଳୀୟ ପ୍ରୟାସକୁ ହିଁ ସୂଚିତ କରୁଥିଲା। ଏଥିମଧ୍ୟରୁ ହରମନ୍ପ୍ରୀତ ସିଂହ ଓ ରୂପିନ୍ଦର ପାଲ ସିଂହ ପେନାଲଟି କର୍ନରରୁ ଯଥାକ୍ରମେ ୬ଟି ଓ ୪ଟି ଗୋଲ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁରଜନ୍ତ ସିଂହ, ସିମରନଜିତ ସିଂହ, ଦିଲପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଲକାନ୍ତ ଶର୍ମା, ବିବେକ ପ୍ରସାଦ, ବରୁନ୍ କୁମାରଙ୍କ ସହିତ ଗୋଲରକ୍ଷକ ପି.ଆର.ଶ୍ରୀଜେଶ ଏବଂ ଅମିତ ରୋହିଦାସଙ୍କ ପ୍ରଦର୍ଶନ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର।
ଅମିତଙ୍କ ସହିତ ଅନ୍ୟ ଓଡ଼ିଆ ଖେଳାଳି ତଥା ଉପ-ଅଧିନାୟକ ବୀରେନ୍ଦ୍ର ଲାକ୍ରାଙ୍କ ପ୍ରଦର୍ଶନ ମଧ୍ୟ କିଛି କମ୍ ନଥିଲା। କରୋନା ମହାମାରୀ ଜନିତ ଲକ୍ଡାଉନ ସମୟରେ ସମସ୍ତ ଖେଳାଳି ମାସ ମାସ ଧରି ପରିବାରଠାରୁ ଦୂରେଇ ରହି ଯେଉଁଭଳି ଏକ ମନ ଏକ ପ୍ରାଣ ହୋଇ କଠିନ ଅଭ୍ୟାସ କରିଥିଲେ ତାହାର ପୁରସ୍କାର ବ୍ରୋଞ୍ଜପଦକ ରୂପେ ମିଳିଲା ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ତଥା ଗ୍ରାହାମ ରୀଡଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରାପ୍ତ ଭାରତୀୟ ଦଳକୁ। ବିଶେଷ କରି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ଯୋଗୁଁ ଓଡ଼ିଶାକୁ ମିଳିଥିଲା ଏହାର ପ୍ରଥମ ଅଲିମ୍ପିକ ପଦକ।
ଟୋକିଓରେ ମହିଳା ହକି ଦଳକୁ ଚତୁର୍ଥ ସ୍ଥାନ
ଟୋକିଓ ଅଲିମ୍ପିକରେ ରାନୀ ରାମପାଲଙ୍କ ନେତୃତ୍ୱରେ ଭାରତର ମହିଳା ଦଳ ମଧ୍ୟ କିଛି କମ୍ ପରିଶ୍ରମ କରିନଥିଲା। ପ୍ରାୟତଃ ଗରିବ ପରିବାରରୁ ଆସିଥିବା ଏହି ଖେଳାଳିମାନେ କିଛିମାସ ଧରି ଏକାଠି ରହି ଅଭ୍ୟାସ କରି ଆସିଥିଲେ। ପ୍ରଥମ ତିନିଟି ମ୍ୟାଚ୍ରେ ପରାଜିତ ହେବାପରେ ସେମାନେ ଯେଭଳି କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କଲେ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏ ଦିଗରେ ଦଳର ପ୍ରଶିକ୍ଷକ ସ୍ୟୋର୍ଡ ମାରିନେଙ୍କ ପ୍ରେରଣା ଯେ ରହିଥିଲା ତାହା ନିଶ୍ଚିତ।
କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ଭଳି ଦଳକୁ ହରାଇବା କିଛି କମ୍ ସଫଳତା ନଥିଲା। ତେବେ ଏହାପରେ ସେମିରେ ଆର୍ଜେଣ୍ଟିନା ଠାରୁ ୧-୨ରେ ଏବଂ ପ୍ଲେ-ଅଫ୍ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ଠାରୁ ୩-୪ ଗୋଲରେ ପରାଜିତ ହେବା ଫଳରେ ଦଳ ପଦକ ହାତଛଡ଼ା କରିଥିଲା।
ଏହି ଦୁଇଟି ମ୍ୟାଚ୍ ଏତେ ସଂଘର୍ଷପୂର୍ଣ୍ଣ ଥିଲା ଯେ ହାରଜିତର ଫଇସଲା ଗୋଟିଏ ଗୋଲ ବ୍ୟବଧାନରେ ହୋଇଥିଲା। ସମୁଦାୟ ପ୍ରତିଯୋଗିତାରେ ରାନୀ ରାମପାଲଙ୍କ ସହିତ ବନ୍ଦନା କଟାରିୟା, ଗୁରଜିତ କୌର, ନବନୀତ କୌର, ଶର୍ମିଲା ଦେବୀ, ସଲିମା ଟେଟେ, ସୁଶିଲା ଚାନୁ, ଲାଲରେମ୍ ସିଆମି ଏବଂ ଓଡ଼ିଶାର ଦୀପଗ୍ରେସ୍ ଏକ୍କାଙ୍କର ଖେଳ ଥିଲା ଅତି ଉଚ୍ଚକୋଟୀର।
ଏଥର ପ୍ୟାରିସ ଅଲିମ୍ପିକରେ ଭାରତର ପୁରୁଷ ହକି ଦଳ ପୁନର୍ବାର ପଦକ ଲାଭ କରିବା ଆଶାରେ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ଯାଉଛି। ହେଲେ ଚଳିତ ଅଲିମ୍ପିକ ପାଇଁ ଭାରତୀୟ ମହିଳା ଦଳ ଯୋଗ୍ୟତା ହାସଲ କରିପାରିନାହିଁ। ତେବେ ଏହି ପ୍ରତିଯୋଗିତାରେ ଭାରତୀୟ ହକି ଦଳ କିଭଳି ପ୍ରଦର୍ଶନ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିବ।
Tags: #TokyoOlympics #Hockey #IndianMensHockeyTeam #Sports #OlympicMedal #Sports #HockeyIndia