ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଅଟକି ରହିଛି ଆଳୁ ବୋଝେଇ ଟ୍ରକ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଯୋଗୁଁ ଟ୍ରକ୍ଗୁଡ଼ିକୁ ଓଡ଼ିଶା ଯିବାକୁ ଦିଆଯାଉ ନାହିଁ। ଫଳରେ ରାଜ୍ୟରେ ଆଳୁ ଅଭାବ ଦର୍ଶଇ ବଜାରରେ ଚଢ଼ା ଦରରେ ଆଳୁ ବିକ୍ରି ହେଉଛି।
ଶୁକ୍ରବାର ଦିନ ଆଳୁ କିଲୋଗ୍ରାମ ପିଛା ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଜନତା। ଆଳୁ ଦର ବୃଦ୍ଧିକୁ ନେଇ ଅଭିଯୋଗ ହେବା ପରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଏବଂ ଗୋଦାମରେ ଚଢ଼ାଉ କରାଯାଉଛି।
ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଆଳୁ ମହଜୁଦ ରହିଛି। ଆଳୁ କିଲୋଗ୍ରାମ ପିଛା ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିବା ଅଭିଯୋଗ ହେଲେ ବିକ୍ରେତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମନ୍ତ୍ରୀ ଆହୁରି କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି। ଆବଶ୍ୟକତା ପଡ଼ିଲେ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯିବ ବୋଲି ସେ କହିଛନ୍ତି।
ଏପଟେ ଧର୍ମଘଟ ଯୋଗୁଁ ପଶ୍ଚିମବଙ୍ଗରୁ ଓଡ଼ିଶା ବଜାରକୁ ଆଳୁ ପହଞ୍ଚିପାରୁ ନଥିବାରୁ ଏହାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।
Tags: #Potato#PotatoPrice #Odisha #Strike