ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗ୍ନିବୀର ସୈନିକଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାର ଅଗ୍ନିବୀର ସୈନ୍ୟଙ୍କୁ ରାଜ୍ୟର ପୋଲିସ ଓ ଅଗ୍ନିଶମ ବାହିନୀ ଭଳି ୟୁନିଫର୍ମ ସେବାରେ ସଂରକ୍ଷଣ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଓଡ଼ିଶାର ଅଗ୍ନିବୀର ସୈନିକମାନେ ସେନାବାହିନୀରୁ ବାହାରିବା ପରେ ସେମାନଙ୍କୁ ରାଜ୍ୟର ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ଏହାସହ ସେମାନଙ୍କ ବୟସସୀମା ୫ ବର୍ଷ କୋହଳ କରାଯିବ।

“ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀରମାନେ ସେନା ବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି। ରାଜ୍ୟ ସରକାର ଓଡ଼ିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ନିଯୁକ୍ତିରେ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୨୦୨୨ ମସିହା ଜୁନ ମାସରେ କେନ୍ଦ୍ର ସରକାର ଭାରତୀୟ ସେନା ବାହିନୀରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ସୈନିକମାନଙ୍କ ଭର୍ତ୍ତି ଆରମ୍ଭ କରିଥିଲେ। ଏହି ଯୋଜନାରେ ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ବର୍ଗର ଯୁବକ ଯୁବତୀ ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ହେଉଛନ୍ତି। ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ମିଳୁଛି।   

Tags: #AgniveerSoldiers #UniformServices #Reservation #Odisha #IndianArmy

LEAVE A REPLY

Please enter your comment!
Please enter your name here