ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ସାଧାରଣ ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶାର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ଟେଲିକମ ଓ ଶକ୍ତି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଭଳି ପ୍ରମୁଖ ଦାବି ଉଠାଇଛନ୍ତି। ସେହିପରି ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରର ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବିକଶିତ ଓଡ଼ିଶା ଗଠନରେ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି।

“ଓଡ଼ିଶାର ୪୫୦ କିଲୋମିଟରର ଉପକୂଳ ଅଞ୍ଚଳକୁ ବିକଶିତ କରିବା ତଥା ରାଜ୍ୟକୁ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ସହ ଯୋଗାଯୋଗର ପ୍ରମୁଖ ସ୍ଥଳ ଭାବେ ଗଢ଼ିବା ଲକ୍ଷ୍ୟରେ ଆଜି ମୁଁ ନୀତି ଆୟୋଗର ବୈଠକରେ ଦାବି ଉପସ୍ଥାପନ କରିଛି। ଧାମରା ଏବଂ ଗୋପାଳପୁରର ବନ୍ଦରଗୁଡ଼ିକର ନିକଟବର୍ତ୍ତୀ ଅଞ୍ଚଳରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜମି ରାଜ୍ୟକୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରିବା ନିମନ୍ତେ ଦାବି ଜଣାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟରେ ଆର୍ଥିକ କାରବାରକୁ ସୁନିଶ୍ଚିତ କରିବା ପାଇଁ ବ୍ୟାଙ୍କ ସେବା ଅପହଞ୍ଚ ଥିବା ପଞ୍ଚାୟତଗୁଡ଼ିକରେ ଅଧିକ ସଂଖ୍ୟାରେ ବ୍ୟାଙ୍କ, ଏଟିଏମ୍ ଏବଂ ଟେଲିକମ୍‌ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଏହାସହ ରାଜ୍ୟରେ ରେଳ ନେଟୱାର୍କର ବିକାଶ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଦାବି ଜଣାଇଛି।”

ଏହି ବୈଠକରେ ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବା ନିମନ୍ତେ ବିଦେଶୀ ପୁଞ୍ଜିନିବେଶ ବ୍ୟବସ୍ଥା ସହ ଆବଶ୍ୟକୀୟ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ନିଜ ନିଜ ରାଜ୍ୟ ପାଇଁ ଅନେକ ବିକାଶମୂଳକ ଯୋଜନା ତଥା କେନ୍ଦ୍ରୀୟ ଅନୁଦାନ ବାବଦରେ ବୈଠକରେ ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି।  

Tags: #NITIAayogMeeting #PMNarendraModi #CMMohanCharanMajhi #Odisha #NewDelhi

Comment