ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇଛି। କଂଗ୍ରେସ ପକ୍ଷରୁ ଏହି ପ୍ରସ୍ତାବ ଅଣାଯାଇଛି। ସୋମବାର ବିଧାନସଭାର ଶୂନ୍ୟ କାଳରେ ବାଚସ୍ପତି ସୁରମା ପାଢ଼ୀ ଏହାକୁ ଗ୍ରହଣ କରିଛନ୍ତି। ବିଧାନସଭା ବାହାରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରି ମୁଖ୍ୟମନ୍ତ୍ରୀ ଭୁଲ କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।
ବିଧାନସଭା ଅଧିବେଶନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ କାହିଁକି ଗୃହ ବାହାରେ ଅଗ୍ନିବୀର ସୈନିକଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ବୋଲି ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ପ୍ରଶ୍ନ ଉଠାଇଥିଲେ। ଏନେଇ ସୋମବାର ବିଧାନସଭାରେ ସେମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଅଣାଯାଇଥିଲା।
ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଗ୍ରହଣ କରିଥିବାବେଳେ ଏନେଇ ଏକ କମିଟି ଗଠନ କରିବାକୁ ଦାବି କରିଛି କଂଗ୍ରେସ। ଅନ୍ୟପଟେ ସୋମବାର ଏହି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବିଧାନସଭାକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ କରାଯାଇଛି।
ଅନ୍ୟପଟେ ଶାସକ ବିଜେପି ମଧ୍ୟ କଂଗ୍ରେସ ବିରୋଧରେ ପାଲଟା ସ୍ଵାଧୀକାର ଭଙ୍ଗ ନୋଟିସ୍ ଆଣିଛି। କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ପୂର୍ବରୁ ଏହାକୁ ଗଣମାଧ୍ୟମରେ ପ୍ରକାଶ କରିଥିବା ନେଇ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ବାଚସ୍ପତିଙ୍କ ବିନା ଅନୁମତିରେ ବାହାରେ ଖବର ପ୍ରକାଶ ପାଇବା ମଧ୍ୟ ବିଧାନସଭାର ନିୟମ ଭଙ୍ଗ ବୋଲି ସେ କହିଛନ୍ତି।
ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ୟୁନିଫର୍ମ ସେବାରେ ସେନାରୁ ବାହାରିଥିବା ରାଜ୍ୟର ଅଗ୍ନିବୀର ସୈନିକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଏବଂ ୫ ବର୍ଷ ବୟସସୀମା କୋହଳ କରିବାକୁ ଘୋଷଣା କରିଥିଲେ। ଏନେଇ ବିଧାନସଭା ବାହାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
Tags: #CMMohanCharanMajhi #BreachofPrivilegeNotice #Congress #OdishaAssembly #Politics #Odisha


















