ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଆଉଥରେ ଭଲ ଭାବେ ଯାଞ୍ଚ କରାଯିବ ବୋଲି ଏଠାରେ ନିଷ୍ପତ୍ତି ନିଆଯାଇଛି।
ସୋମବାର ଏହି ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟଙ୍କ ସହ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର (ଏଏସଆଇ) ଅଧିକାରୀମାନେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଆଉଥରେ ଖୋଲାଯାଇ ଏହାର ସ୍ଥିତିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ଏନେଇ ସରକାର ଆଉଥରେ ଏସଓପି ଜାରି କରିବେ ବୋଲି ବୈଠକରେ ଆଲୋଚନା କରାଯାଇଛି।
“ରତ୍ନଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତରିତ ହେବାପରେ ଏହାର ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ହେଲେ ଭିତର ରତ୍ନଭଣ୍ଡାରର ରହସ୍ୟକୁ ନେଇ ଜନମାନସରେ ଅନେକ ମନ୍ତବ୍ୟ ପ୍ରକାଶ ପାଇବା ପରେ ଏହାକୁ ପୁଣି ଥରେ ଯାଞ୍ଚ କରିବା ପାଇଁ ଆଜି ବୈଠକରେ ନିଷ୍ପତ୍ତି ହୋଇଛି। ଭିତର ରତ୍ନଭଣ୍ଡାରରେ କିଛି ଗୁପ୍ତ ସମ୍ପତ୍ତି ଥିବା ନେଇ ଲୋକଙ୍କ ଭାବବେଗକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି”, କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।
ସେ ଆହୁରି ମଧ୍ୟ କହିଛନ୍ତି, “ଭିତର ରତ୍ନଭଣ୍ଡାର ଆଉଠାରେ ଯାଞ୍ଚ ପୂର୍ବରୁ ଏଥିରେ ଥିବା ସବୁ ଖାଲି ସିନ୍ଦୁକ ଓ ଆଲମାରିଗୁଡ଼ିକୁ ସ୍ଥାନାନ୍ତରିତ କରାଯିବ। ପୂର୍ବ ଭଳି ସବୁ କିଛି ଭିଡିଓଗ୍ରାଫି ସହ ସ୍ଥାନାନ୍ତରିତ ହେବ। ଯେହେତୁ ଏହା ଏସଓପିରେ ନଥିଲା ତେଣୁ ପୁନଶ୍ଚ ଯାଞ୍ଚକୁ ଦୃଷ୍ଟିରେ ରଖି ଏଥିପାଇଁ ଏସଓପି ତିଆରି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।”
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଆଉଥରେ ଯାଞ୍ଚ କରିବା ସମୟରେ କିଛି ଗୁପ୍ତ ସମ୍ପତ୍ତି ମିଳିଲେ ସେ ନେଇ ଆଗକୁ ପଦକ୍ଷେପ ନିଆଯିବ। ନଚେତ୍ ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
Tags: #ShreeMandir #Ratnabhandar #Puri #Odisha