ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଲୋକ ସେବା ଆୟୋଗର (ୟୁପିଏସସି) ନୂଆ ଅଧ୍ୟକ୍ଷ ହୋଇଛନ୍ତି ପ୍ରୀତି ସୂଦନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଯୁକ୍ତ କରିଛନ୍ତି। ସେ ଅଗଷ୍ଟ ୧ ତାରିଖରେ ଦାୟିତ୍ଵ ଗ୍ରହଣ କରିବେ। ଏନେଇ ବୁଧବାର ୟୁପିଏସସି ପକ୍ଷରୁ ସୂଚନା ଦିଆଯାଇଛି।
କିଛି ଦିନ ପୂର୍ବେ ୟୁପିଏସସି ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଥିଲେ। ଏହାପରେ ଏହି ପଦବୀ ଖାଲି ପଡ଼ିଥିଲା। ଏବେ ତାଙ୍କ ସ୍ଥାନରେ ପ୍ରୀତି ସୂଦନଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ସେ ୨୦୨୫ ଏପ୍ରିଲ ମାସ ପର୍ଯ୍ୟନ୍ତ ୟୁପିଏସସିର ଅଧ୍ୟକ୍ଷ ରହିବେ।
ପ୍ରୀତି ସୂଦନ ୧୯୮୩ ବ୍ୟାଚର ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଆନ୍ଧ୍ରପ୍ରଦେଶରେ ଅର୍ଥ, ଯୋଜନା ଓ ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଏବଂ କୃଷି ବିଭାଗର ସଚିବ ରହିଥିଲେ। ଏହାସହ କେନ୍ଦ୍ରରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ, ପ୍ରତିରକ୍ଷା ମନ୍ତ୍ରାଳୟ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରେ ସଚିବ ଭାବେ କାର୍ଯ୍ୟ କରିଥିଲେ।
୨୦୨୦ ମସିହା ଜୁଲାଇ ମାସରେ ପ୍ରୀତି ସୂଦନ ଅବସର ଗ୍ରହଣ କରିଥିଲେ। ୨୦୨୨ ମସିହାରୁ ସେ ୟୁପିଏସସିର ସଦସ୍ୟ ରହିଛନ୍ତି।
Tags: #PreetiSudan #IAS #UPSC #India