ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାଦ ଘେରରେ ଥିବା ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ବିରୋଧରେ ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୟୁପିଏସସି ପକ୍ଷରୁ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଛି। ତାଙ୍କର ୨୦୨୨ ସିଭିଲ ସର୍ଭିସ ପରୀକ୍ଷା ରଦ୍ଦ ହୋଇଥିବାବେଳେ ଭବିଷ୍ୟତରେ ୟୁପିଏସସିର କୌଣସି ବି ପରୀକ୍ଷା କିମ୍ବା ଚୟନରେ ସାମିଲ ହେବା ଉପରେ ରୋକ୍ ଲଗାଯାଇଛି।
ପୂଜା ଖେଡ଼କରଙ୍କ ଯୋଗ୍ୟତାକୁ ନେଇ ବିବାଦ ଦେଖାଦେବା ପରେ ୟୁପିଏସସି ପକ୍ଷରୁ ତାଙ୍କର ସବୁ ରେକର୍ଡ ଯାଞ୍ଚ କଟାଯାଇଥିଲା। ସିଭିଲ ସର୍ଭିସରେ ଚୟନ ପାଇଁ ସେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଥିବା ପ୍ରମାଣିତ ହୋଇଥିଲା।
ସିଭିଲ ସର୍ଭିସ ପରୀକ୍ଷା-୨୦୨୨ର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୂଜା ଖେଡ଼କରଙ୍କ ବିରୋଧରେ ୟୁପିଏସସି ପକ୍ଷରୁ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି। ଏହାସହ ପୂଜାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି।
କ’ଣ ଥିଲା ମାମଲା?
ପୂଜା ଖେଡକର୍ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୧ ରାଙ୍କ୍ ହାସଲ କରିଥିଲେ। ଜଣେ ଟ୍ରେନିଂ ଆଇଏଏସ୍ ଅଧିକାରୀ ଭାବେ ପୁଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପୂର୍ବରୁ ପୂଜା ଅନେକ କିଛି ବିଳାସପୂର୍ଣ୍ଣ ସୁବିଧା ଦାବି କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଣେ ଜିଲ୍ଲାପାଳ ଡକ୍ଟର ସୁହାସ ଦିବାସେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।
ପୁଣେ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ, ଜୁନ୍ ୩ ତାରିଖରେ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେ ଏକ ଅଲଗା କ୍ୟାବିନ୍, ଫ୍ଲାଟ୍, ଗାଡ଼ି ଏବଂ ଜଣେ ପିଅନ ଦାବି କରିଥିଲେ। ତେବେ ଏହି ସମସ୍ତ ଦାବି ଖାରଜ କରିଦିଆଯାଇଥିଲା।
ପୂଜା ପ୍ରଶିକ୍ଷଣ ନେଉଥିବାବେଳେ ନିଜ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଭିଆଇପି ନମ୍ବର ପ୍ଲେଟ୍, ନାଲି ଓ ନୀଳ ବତି ସହ ମହାରାଷ୍ଟ୍ର ସରକାରଙ୍କ ଷ୍ଟିକର ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ଏହି ସମସ୍ତ କାର୍ଯ୍ୟକଳାପ ପାଇଁ ପୂଜାଙ୍କୁ ମହାରାଷ୍ଟ୍ର ସରକାର ପୁଣେରୁ ୱାଶିମ୍ ଜିଲ୍ଲାକୁ ବଦଳି କରିଥିଲେ।
ପରୀକ୍ଷାରେ ମିଥ୍ୟା ଦସ୍ତାବିଜ ଦେଇଥିବା ଅଭିଯୋଗ
ପୂଜା ଖେଡକର୍ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାସ୍ କରିବା ପାଇଁ ମିଥ୍ୟା ଭିନ୍ନକ୍ଷମ ଏବଂ ଓବିସି ପ୍ରମାଣପତ୍ର ଦାଖଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କର ମାନସିକ ରୋଗ ଥିବା ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇଥିବା ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏପ୍ରିଲ ୨୦୨୨ରେ ଭିନ୍ନକ୍ଷମ ପ୍ରମାଣ ପତ୍ରର ପ୍ରାମାଣିକତା ପାଇଁ ପୂଜାଙ୍କୁ ଦିଲ୍ଲୀ ଏମ୍ସରେ ହାଜର ହେବାକୁ କୁହାଯାଇଥିଲା। ତେବେ ସେ କୋଭିଡ ସଂକ୍ରମଣ କାରଣ ଦର୍ଶାଇ ହାଜର ହୋଇନଥିଲେ।
ପୂଜା ଖେଡକରଙ୍କ ୟୁପିଏସସି ପରୀକ୍ଷାର ଅକ୍ଷମତା ଏବଂ ପଛୁଆ ବର୍ଗ (ଓବିସି) ପ୍ରମାଣପତ୍ର ଓ ଅନ୍ୟ ବିବାରଣୀ ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କେନ୍ଦ୍ରର ଜଣେ ଅତିରିକ୍ତ ସଚିବ ସ୍ତରର ଅଧିକାରୀଙ୍କ ନେତୃତ୍ୱରେ ଏହି ମାମଲାର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହି କମିଟି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ।
ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ୟୁପିଏସସି ପରୀକ୍ଷାର ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।
Tags: #PujaKhedkar #IAS #UPSC #Pune #Maharashtra