ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର ୱାୟନାଡରେ ମଙ୍ଗଳବାର ହୋଇଥିବା ଭୟଙ୍କର ଭୂସ୍ଖଳନ ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୩୦୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପ୍ରାୟ ୨୫୦ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।
ଭୂସ୍ଖଳନରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିବାବେଳେ ଅନେକ ନିକଟସ୍ଥ ଚେଲିୟାର ନଦୀରେ ଭାସି ଯାଇଥିଲେ। ଏବେ ଉକ୍ତ ନଦୀରୁ ଅନେକ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଉଥିବାର ଦେଖିବାକୁ ମିଳୁଛି। ମୃତ ଦେହଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଉଛି।
କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଉଦ୍ଧାର ଅଭିଯାନରେ ନୌସେନା, ସେନାବାହିନୀ, ଏନଡିଆରଏଫ୍ ଓ ଏସଡିଆରଏଫର ୫୦୦ରୁ ଅଧିକ ଯବାନ ସାମିଲ ହୋଇଛନ୍ତି।
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ବାୟୁ ସେନା ହେଲିକେପ୍ଟରର ସହାୟତା ନିଆଯାଉଛି।ତେବେ ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି।
ଅନ୍ୟପଟେ ଏହି ଭୂସ୍ଖଳନରେ ଓଡ଼ିଶାର ଜଣେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ପ୍ରାଣ ହରାଇଛନ୍ତି। ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ଡାକ୍ତର ସ୍ଵାଧିନ ପଣ୍ଡା ଏବେ ବି ନିଖୋଜ ଅଛନ୍ତି।
ମଙ୍ଗଳବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ୱାୟନାଡ ଜିଲ୍ଲାର ମେପ୍ପଡି, ମୁବାଡକାଇ ଏବଂ ଚୁରାଲ ପାହାଡ଼ିଆ ଅଞ୍ଚଳରେ କ୍ରମାଗତ ୩ଟି ଭୂସ୍ଖଳନ ହୋଇଥିଲା। ଏଥିରେ ୫ଟି ଗାଁ ସଂପୂର୍ଣ୍ଣ ଭାବେ ଭାସି ଯାଇଥିଲା। ଏହି ସବୁ ଗାଁର ପ୍ରାୟ ୪୦୦ରୁ ଅଧିକ ଲୋକେ ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ଭୋର୍ ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ଏହି ଭୂସ୍ଖଳନ ବାବଦରେ ଜାଣିନପାରି ଏହାର ଶିକାର ହୋଇଥିଲେ।
ସେହିପରି ଭୂସ୍ଖଳନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ରାସ୍ତାଘାଟ, ଦୋକାନ ବଜାର, ରେଳଧାରଣା ସମେତ ଅନ୍ୟ ଘରଦ୍ଵାର ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ କେରଳ ସରକାର ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି।
Tags: #Landslide #Rain #Disaster #Wayanad #Kerela