ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରେ ଭୀଷଣ ବର୍ଷା, ବନ୍ୟା ଓ ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହୋଇଛି। ଗତ ୩ ଦିନ ହେଲାଣି ସାରାଦେଶରେ ଏହି ଭୟଙ୍କର ପରିସ୍ଥିତି ଲାଗି ରହିଛି। ମଙ୍ଗଳବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୨୧୭ରେ ପହଞ୍ଚିଛି। ଏବେ ବି ୨୮ ଜଣ ନିଖୋଜ ଥିବାବେଳେ ୧୪୩ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ନେପାଳ ଗୃହ ମନ୍ତ୍ରାଳୟର ମୁଖପାତ୍ର ଋଷିରାମ ତିୱାରୀ ପ୍ରକାଶ କରିଛନ୍ତି।
ଗତ ସପ୍ତାହରୁ ଆରମ୍ଭ ହୋଇଥିବା ବର୍ଷା କାଠମାଣ୍ଡୁ ସମେତ ନେପାଳର ବିଭିନ୍ନ ପ୍ରଦେଶରେ ଭୟଙ୍କର ରୂପ ଧାରଣ କରିଛି। ଏଥିରେ ହଜାର ହଜାର ଲୋକ ବାସହରା ହୋଇ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଛନ୍ତି। କାଠମାଣ୍ଡୁ ପ୍ରଦେଶରୁ ମୃତ୍ୟୁସଂଖ୍ୟା ୫୦ରୁ ଅଧିକ ଥିବା ଜଣାପଡ଼ିଛି। ଏଠାରେ ୨୦,୦୦୦ରୁ ଅଧିକ ସୁରକ୍ଷା କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ସହ ସ୍ୱାଭାବିକ ଯାତାୟାତ ପାଇଁ ରାସ୍ତା ସଫା କରୁଛନ୍ତି।
ଭୂସ୍ଖଳନରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଯୁଦ୍ଧାକଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହାସହ ବନ୍ୟା ବିପନ୍ନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ନେପାଳ ସରକାରଙ୍କ ପକ୍ଷରୁ କୁହାଯାଇଛି।
ନେପାଳର ପାଣିପାଗ ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ କହିବା ଅନୁସାରେ, ଏବେ ସମ୍ପୂର୍ଣ୍ଣ ଏସିଆ ମହାଦେଶରେ ପାଣିପାଗ ବଦଳୁଛି। ବିଭିନ୍ନସ୍ଥାନରେ ଲଗାତାର ବର୍ଷା ହେଉଛି, ଆଉ କିଛି କିଛି ସ୍ଥାନରେ ଅଳ୍ପ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ବ୍ୟାପାକ କ୍ଷୟକ୍ଷତି ହେଉଛି। ନେପାଳ ବନ୍ୟାର ପ୍ରଭାବ ଭାରତର ବିହାର ଓ ଉତ୍ତରପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଖାସକରି ନେପାଳ ସୀମାକୁ ଲାଗିଥିବା ଏହି ଦୁଇ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବା ସହ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।
ତେବେ ନେପାଳରେ ଚଳିତବର୍ଷ ବନ୍ୟା ପରିସ୍ଥିତି ଉପୁଜିବାର ମୁଖ୍ୟ କାରଣ ଏଠାକାର ଅନିୟନ୍ତ୍ରିତ ନିର୍ମାଣ କାର୍ଯ୍ୟ ବୋଲି କୁହାଯାଉଛି। ବିଶେଷ କରି ବନ୍ୟା ହୋଇଥିବା ଅଞ୍ଚଳରେ ଡ୍ରେନେଜ୍ ପାଇଁ କୌଣସି ସଠିକ୍ ବ୍ୟବସ୍ଥା କରାଯାଇ ନ ଥିବାରୁ ବିଭିନ୍ନ ନଦୀରେ ପାଣି ଜମି ବନ୍ୟା ସୃଷ୍ଟି ହୋଇଛି। ଏହାଦ୍ୱାରା ବହୁତ ଲୋକଙ୍କ ଘର ଭାଙ୍ଗିବା ସହିତ, ରାସ୍ତାଘାଟ ତଥା ବ୍ରିଜ୍ ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
Tags: #Floods #Landslide #HeavyRainfall #Nepal