ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି। ଗତ ୨ ଦିନରୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ବିଭିନ୍ନ ଅଞ୍ଚଳର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ମଧ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ବର୍ଷା ଯୋଗୁଁ ମାଲକାନଗିରିର ପାଙ୍ଗମ, ଏମଭି ୭, ଏମଭି ୯୦ ପୋଲ ଉପରେ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ହୋଇଛି। ସେହିପରି ଜିଲ୍ଲାର କାଙ୍ଗୁରୁକୁଣ୍ଡା ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଏହି ସବୁ ଅଞ୍ଚଳର ବିଭିନ୍ନ ଗାଁରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ମାଲକାନଗିରିରୁ କଲିମେଳା ଓ ଜୟପୁରକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୨୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୧୩୨ ମିଲିମିଟର ବର୍ଷା ହୋଇଛି। ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ୨ ନମ୍ବର ୟୁନିଟ୍ ଭିତରେ ବନ୍ୟା ଜଳ ପଶିବାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଛି।
ସୋମବାର ମଧ୍ୟ ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
Tags: #HeavyRainfall #Floods #RoadBlockage #Malkangiri #Odisha