ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଥିଲେ।
ଡକ୍ଟର ପ୍ରଦୀପ ମହାପାତ୍ର କିଛିଦିନ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା। ନିମୋନିଆ ଯୋଗୁଁ ତାଙ୍କର ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏଠାରେ ଶୁକ୍ରବାର ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶୁକ୍ରବାର ବ୍ରହ୍ମପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରୁ ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଡକ୍ଟର ପ୍ରଦୀପ ମହାପାତ୍ର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିଥିଲେ। ଏପରିକି ଅବସର ପରେ ମଧ୍ୟ ଲେଖାଲେଖି ଜାରି ରଖିବା ସହ ଗଣମାଧ୍ୟମର ପରିବର୍ତ୍ତିତ ଧାରା ସମ୍ପର୍କରେ ଅନୁଧ୍ୟାନ କରି ସୋସିଆଲ ମିଡିଆ ମାଧ୍ୟମରେ ସେ ତାହା ପ୍ରକାଶ କରି ଆସୁଥିଲେ।
‘ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଏବଂ ନିର୍ଦ୍ଦେଶକ ପ୍ରଣତୀ ପରିଡ଼ା ଭୁବନେଶ୍ଵରରେ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Tags: #DrPradeepMohapatra #Journalism #BrahmapurUniversity #Odisha