ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୭ ତାରିଖରୁ ୯ ତାରିଖ ଯାଏଁ ଆୟୋଜିତ ହେବ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ। ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ପୁଣେ ଓ ଅହମ୍ମଦାବାଦରେ ଏହି ସମ୍ମିଳନୀ ହେବ। ଏନେଇ ଶୁକ୍ରବାର ରାଜ୍ୟ ଶିଳ୍ପ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।
ଏହି ନିବେଶକ ସମ୍ମିଳନୀରେ ଅଟୋମୋବାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ ତଥା ଅନ୍ୟ କ୍ଷେତ୍ରର ଉଦ୍ୟୋଗୀମାନେ ଯୋଗଦେବେ। ସେମାନଙ୍କ ସହ ଦ୍ଵିପକ୍ଷୀକ ଅଲୋଚନା ତଥା ଗୋଲ ଟେବୁଲ୍ ବୈଠକ କରିବେ ରାଜ୍ୟ ସରକାର।
“ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଆମ ସରକାର ସବୁ ପଦକ୍ଷେପ ନେଉଛନ୍ତି। ୨୦୨୯ ସୁଦ୍ଧା ରାଜ୍ୟରେ ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। ଆମ ରାଜ୍ୟର ଶିଳ୍ପ ନୀତି ଅନ୍ୟ ରାଜ୍ୟଙ୍କ ତୁଳନାରେ ଭଲ ରହିଛି। ଏହି ନିବେଶକ ସମ୍ମିଳନୀ ସଫଳ ରହିବ ବୋଲି ମୋର ଆଶା”, କହିଛନ୍ତି ସମ୍ପଦ ଚନ୍ଦ୍ର ସ୍ଵାଇଁ।
ନିବେଶକ ସମ୍ମିଳନୀରେ ରାଜ୍ୟ ଶିଳ୍ପ ଏବଂ ଏମଏସଏମଇ ବିଭାଗର ଅଧିକାରୀମାନେ ଯୋଗଦେବେ। ସେମାନେ ବିଭିନ୍ନ ପ୍ରସଙ୍ଗରେ ନିବେଶକଙ୍କ ସହ ଆଲୋଚନା କରିବେ।
Tags: #InvestorsSummit #Industries #IndustriesDept #Odisha