ଓଡ଼ିଶାଲାଇଭ୍ ବ୍ୟୁରୋ
“ପଶ୍ଚିମବଙ୍ଗ ନୁହେଁ, ଏଣିକି ଓଡ଼ିଶାର ଆଳୁ ଆବଶ୍ୟକତା ପୂରଣ କରିବ ଉତ୍ତରପ୍ରଦେଶ। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯିବ”, ଓଡ଼ିଶାରେ ଦେଖା ଦେଇଥିବା ଆଳୁ ସଙ୍କଟ ମଧ୍ୟରେ ଏଭଳି ବୟାନ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି, ଆଳୁ ଯୋଗାଣ କ୍ଷେତ୍ରରେ ବିଭିନ୍ନ ସମୟରେ ପଶ୍ଚିମବଙ୍ଗ ସମସ୍ୟା ସୃଷ୍ଟି କରିଆସୁଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ଯୋଗୁଁ କିଛି ଦିନ ହେଲା ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁ ନାହିଁ। ଆନ୍ଦୋଳନକାରୀ ବ୍ୟବସାୟୀମାନେ ଆଳୁ ଟ୍ରକକୁ ସୀମାପାର ହେବାକୁ ଦେଉ ନାହାନ୍ତି ବୋଲି ସେ କହିଛନ୍ତି।
ନୀତିଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଳୁର ସମସ୍ୟା ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ। ତେଣୁ ବ୍ୟବସାୟୀ ମହାସଂଘ ସହ ଆଲୋଚନା କରି ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଓଡ଼ିଶାକୁ ଉତ୍ତରପ୍ରଦେଶରୁ ୨୦ ଟ୍ରକ ଆଳୁ ଆସି ପହଞ୍ଚିଛି। ଧୀରେ ଧୀରେ ଆଳୁ ଦର କମିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
ରୋଷେଇ ଘରେ ଆଳୁର ବହୁତ ଚାହିଦା। କିଛି ଦିନ ହେଲା ରାଜ୍ୟରେ ଆଳୁ ସଙ୍କଟ ଦେଖାଦେବାସହ ମୂଲ୍ୟ ହାଉ ହାଉ ହୋଇପଢ଼ୁଛି। ଆଳୁ ଦରକୁ ଦେଖି ଛାନିଆ ହେଉଛନ୍ତି ସାଧାରଣ ଗ୍ରାହକ। ଯିଏ ୫ କିଲୋଗ୍ରାମ କିଣୁଥିଲେ ଏବେ କିଲେ କିମ୍ବା ଦୁଇ କିଲୋ ଆଳୁ କିଣୁଛନ୍ତି। ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆମଦାନୀ ହେବା କଥା ଶୁଣି ଏବେ ପୁଣି ଆଳୁ ଦରକୁ ନେଇ ଗ୍ରାହକଙ୍କ ଚିନ୍ତା ବଢ଼ିଛି।
Tags: #Potato #Odisha #UttarPradesh #OdishaGovt