ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଆଳୁର ଦର ବୃଦ୍ଧିକୁ ନେଇ ଖାଉଟିମାନଙ୍କଠାରୁ ଆରମ୍ଭ କରି ଆଳୁ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। ଗତ କିଛି ଦିନ ହେଲା ଓଡ଼ିଶାରେ ଦେଖାଦେଇଛି ଆଳୁ ସମସ୍ୟା।

ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ଯୋଗୁଁ ଓଡ଼ିଶାକୁ ଆଳୁ ଟ୍ରକ୍ ଆସିପାରୁନଥିଲା। ଆଳୁର ନିଅଣ୍ଟିଆ ପରସ୍ଥିତି ଯୋଗୁଁ ଆକାଶ ଛୁଆଁ ହୋଇଥିଲା ଆଳୁ ଦର। କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ହଠାତ ୫୦ରୁ ୬୦ ଟଙ୍କା ଟପିଗଲା। ଅବଶ୍ୟ ଏବେ ଆଳୁ କିଲୋ ପିଛା ବଜାରରେ ପ୍ରାୟ ୪୦ ଟଙ୍କା ରହିଛି।

ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଟ୍ରକ୍ ଆସିବାରେ ସମସ୍ୟା ହେଉଥିବା ନେଇ ଆଲୋଚନା କରିଥିଲେ। ଏହା ସହ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ପଶ୍ଚିମବଙ୍ଗ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ଆଳୁ ପ୍ରସଙ୍ଗରେ ସୋମବାର ଦିନ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, “ଆମର ସ୍ଵାଭିମାନ ଅଛି। ବାରମ୍ବାର ଆଳୁ ସମସ୍ୟାର ସମାଧାନ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କୁହାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନାହାନ୍ତି। ଆମର ଆବଶ୍ୟକତା ଯିଏ ପୂରଣ କରିବ ଆମେ ତା’ଠାରୁ ଆଳୁ ଆଣିବୁ। ବର୍ତ୍ତମାନ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ ପଞ୍ଜାବରୁ ମଧ୍ୟ ଆଳୁ ଅଣାଯିବ। ରାଜ୍ୟର ଆଳୁ ଆବଶ୍ୟକତା ପୂରଣ ହେବା ଦରକାର।”

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶ ଆଳୁର କ୍ଵାଲିଟି ବହୁତ ଭଲ, ଏହା ଶୀଘ୍ର ନଷ୍ଟ ହୁଏ ନାହିଁ। ଉତ୍ତରପ୍ରଦେଶ ଆଳୁ ଓଡ଼ିଶାର ଆବଶ୍ୟକତା ପୂରଣ କରିପାରିବ। ଧୀରେ ଧୀରେ ଆଳୁ ଦର ସ୍ଵାଭାବିକ ଅବସ୍ଥାକୁ ଆସୁଛି। ଖୁବ ଶୀଘ୍ର ଖାଉଟିଙ୍କୁ ସୁହାଇଲା ଭଳି ଆଳୁ ଦର କମିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Tags: #Potato #Odisha #UttarPradesh #Punjab #OdishaGovt

LEAVE A REPLY

Please enter your comment!
Please enter your name here