ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପାନି ସାରେଗାମା ପକ୍ଷରୁ ଏକ ନୂଆ ୟୁଟ୍ୟୁବ ଚ୍ୟାନେଲ ‘ସାରେଗାମା ଓଡ଼ିଆ’ର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଚ୍ୟାନେଲକୁ ଲଞ୍ଚ କରାଯାଇଛି। ଏଥିରେ ଓଡ଼ିଶାର ବହୁ ବିଶିଷ୍ଟ କଳାକାର ଯୋଗ ଦେଇଥିଲେ।

ସାରେଗାମା ଓଡ଼ିଆ ଚ୍ୟାନେଲରେ ଓଡ଼ିଶାର ସୁନ୍ଦର ଗୀତଗୁଡ଼ିକୁ ସ୍ମରଣୀୟ କରି ଦର୍ଶକଙ୍କ ମନକୁ ଛୁଇଁବା ଭଳି ପ୍ରଦର୍ଶିତ କରାଯାଉଛି। ଏହି ଚ୍ୟାନେଲରେ ପାରମ୍ପରିକ ଲୋକଗୀତଠାରୁ ଆରମ୍ଭ କରି ଆଧୁନିକ ଗୀତକୁ ନେଇ ମ୍ୟୁଜିକ୍ ଭିଡିଓ ଦେଖିବାକୁ ମିଳିବ।

“ଆମେ ‘ସାରେଗାମା ଓଡ଼ିଆ’ର ଶୁଭାରମ୍ଭକୁ ନେଇ ଖୁବ ଆନନ୍ଦିତ। ଭାରତର ସଂଗୀତ ଜଗତରେ ଏହା ଏକ ମାଇଲଖୁଣ୍ଟ ସୃଷ୍ଟି କରିବ। ଏହି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲୋକେ ନିଜ ପସନ୍ଦ ମୁତାବିକ ଓଡ଼ିଆ ଗୀତ ଉପଭୋଗ କରିପାରିବେ। ଚ୍ୟାନେଲରେ ଥିବା ମ୍ୟୁଜିକ୍ ଭିଡିଓରେ ବହୁ ନାମୀଦାମୀ କଳାକାର ଅଭିନୟର ଯାଦୁ ଦେଖାଇଛନ୍ତି। ଓଡ଼ିଶାରେ ନିଜର ଏକ ଦୃଢ଼ ଉପସ୍ଥିତି ସୃଷ୍ଟି କରି ଦର୍ଶକଙ୍କ ସଙ୍ଗୀତ ଆବଶ୍ୟକତାକୁ ପୂରଣ କରିବାକୁ ସାରେଗାମା ଲକ୍ଷ୍ୟ ରଖିଛି”, କହିଛନ୍ତି ସାରେଗାମା ମ୍ୟୁଜିକର ଉପାଧ୍ୟକ୍ଷ କାର୍ତ୍ତିକ କଳା।

ଏହି କାର୍ଯ୍ୟକ୍ରମରେ ସାରେଗାମା ଓଡ଼ିଆ ଚ୍ୟାନେଲରେ ନୂଆ କରି ହୋଇଥିବା ଓଡ଼ିଆ ମ୍ୟୁଜିକ୍ ଭିଡିଓ ସବୁକୁ ପ୍ରଦର୍ଶିତ କରାଯାଇଥିଲା। ଏହିସବୁ ମ୍ୟୁଜିକ୍ ଭିଡିଓରେ ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା ତଥା କୁଲଦୀପ ପଟ୍ଟନାୟକଙ୍କ ଭଳି କଣ୍ଠଶିଳ୍ପୀ ଗୀତ ଗାଇଥିବାବେଳେ ସ୍ଵରାଜ ବାରିକ, ଭୂମିକା ଦାସ, ପ୍ରକୃତି ମିଶ୍ର, ଶୈଳେନ୍ଦ୍ର ସାମନ୍ତରାୟଙ୍କ ଭଳି କଳାକାର ଅଭିନୟ କରିଛନ୍ତି।

ସାରେଗାମା ଇଣ୍ଡିଆ ଲିମିଟେଡ୍ ଭାରତର ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପାନି। ଏହା ପୂର୍ବରୁ ଦି ଗ୍ରାମୋଫୋନ୍ କମ୍ପାନି ଅଫ୍ ଇଣ୍ଡିଆ ଲିମିଟେଡ୍ ଭାବରେ ଜଣାଶୁଣା ଥିଲା। ଏହି ଓଡ଼ିଆ ମ୍ୟୁଜିକ୍ ଚ୍ୟାନେଲକୁ ଲୋକେ ପସନ୍ଦ କରିବେ ବୋଲି କମ୍ପାନି ପକ୍ଷରୁ ଆଶା ରଖାଯାଇଛି।

Tags: #SaregamaOdia #Music #YouTubeChannel #OdiaSongs #Odisha  

LEAVE A REPLY

Please enter your comment!
Please enter your name here