ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ଥିବା ଡିଏଭି ସ୍କୁଲ ନିକଟରେ ସୋମବାର ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଲ ଆସୁଥିବା ଦୁଇଜଣ ଛାତ୍ର ଏବଂ ଜଣେ ଅଭିଭାବକଙ୍କ ଉପରେ ଟ୍ରକ୍ ମାଡ଼ି ଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଯୋଡ଼ା ଆଜାଦ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୁସାଲ ଏବଂ ତାଙ୍କ ପୁଅ ନିକିତ ଭୁସାଲ ଓ ଅନ୍ୟ ଜଣେ ଛାତ୍ର ଗଣେଶ ଶର୍ମା।
କ୍ରିଷ୍ଣା ଭୁସାଲ ସୋମବାର ସକାଳେ ପୁଅ ନିକିତ ଏବଂ ପଡ଼ୋଶୀ ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶଙ୍କୁ ବାଇକରେ ଧରି ସ୍କୁଲ ଛାଡ଼ିବାକୁ ଯାଉଥିଲେ। ସ୍କୁଲ ଗେଟ ସମ୍ମୁଖରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଗୋଟିଏ ଟ୍ରକ୍ କ୍ରିଷ୍ଣା ଭୁସାଲଙ୍କ ବାଇକ୍ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କ୍ରିଷ୍ଣା, ନିକିତ ଓ ଗଣେଶଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଟ୍ରକ୍ ଧରି ଫେରାର ହୋଇଯାଇଥିଲେ। ଏହା ପ୍ରତିବାଦରେ ସ୍ଥାନୀୟ ଲୋକେ ଏବଂ ଅଭିଭାବମାନେ ସ୍କୁଲ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରିବା ସହ ସମ୍ପୃକ୍ତ ରାସ୍ତାରେ ଦ୍ରୁତଗାମୀ ତଥା ଭାରିଯାନ ଯାତାୟତ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ।
ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ କିଛି ସମୟ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିଲା। ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଶବ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: #RoadAccident #Death #Joda #Kendujhar #Odisha