ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଆୟୋଜିତ ହୋଇଛି ଦଶମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ। ବୁଧବାର ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏହାର ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବୁଣାକାର ତଥା ହସ୍ତଶିଳ୍ପୀମାନେ ଯୋଗ ଦେଇଥିଲେ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ କଳା ତଥା ବୁଣାକାରମାନଙ୍କ ଦକ୍ଷତା ଓ ସୃଜନଶୀଳତା ଉପରେ ଏଠାରେ ଆଲୋଚନା କରାଯାଇଥିଲା। ଏହାସହ ରାଜ୍ୟର ହସ୍ତତନ୍ତ ଉତ୍ପାଦର ପ୍ରଚାର ତଥା ପ୍ରୋତ୍ସାହନ ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା।
“ପ୍ରାଚୀନ କାଳରୁ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୈତିକ ପ୍ରଗତିରେ ହସ୍ତତନ୍ତ ବୁଣାକାରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଆସିଛି। ଆମ ରାଜ୍ୟର ହସ୍ତତନ୍ତ ଉତ୍ପାଦର ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ଓଡ଼ିଶାର ୯ ହସ୍ତତନ୍ତକୁ ଜିଆଇ ଟ୍ୟାଗ ମଧ୍ୟ ମିଳିଛି। ଓଡ଼ିଶା ସରକାର ରାଜ୍ୟର ହସ୍ତତନ୍ତ ଓ ବୟନ ଶିଳ୍ପର ବିକାଶ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି”, କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।
ଏଠାରେ ସେ ଭାରତୀୟ ବୟନ ଶିଳ୍ପରେ ଓଡ଼ିଶା ହସ୍ତତନ୍ତ ବୁଣାକାରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଏହାସହ ହସ୍ତତନ୍ତ ବୁଣାକାରମାନଙ୍କ ପାଇଁ ଆର୍ଥିକ ସହାୟତା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବାଣିଜ୍ୟ ସହାୟତା ତଥା ହସ୍ତତନ୍ତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ଵ ଦେଇଥିଲେ ଡକ୍ଟର ଅରବିନ୍ଦ ପାଢ଼ୀ।
ଜାତୀୟ ହସ୍ତତନ୍ତ୍ର ଦିବସ ସମାରୋହରେ ରାଜ୍ୟର ୪ ଜଣ କୁଶଳୀ ହସ୍ତତନ୍ତ ବୁଣାକାରଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଧଳାପଥର ପରଦା କାମ ପାଇଁ ଖୋର୍ଦ୍ଧା ଜିଲ୍ଲାର ସୁରେଶ କୁମାର ରାଉତ ଏବଂ ମୟୂରଭଞ୍ଜ ଜିଲ୍ଲାର ଫୁଟା ଶାଢ଼ି ଓ ଗାମୁଛା ଉତ୍ପାଦ ପାଇଁ ଶମ୍ଭୁନାଥ ସେନାପତି ସମ୍ବର୍ଦ୍ଧିତ ହୋଇଥିଲେ। ଏହାସହ କେରଙ୍ଗା କପଡ଼ାରେ କାରିଗରୀ ପାଇଁ କୋରାପୁଟ ଜିଲ୍ଲାର ଭାଗବତୀ ସିସ୍ତାଙ୍କୁ ମାନ୍ୟତା ଦିଆଯାଇଥିବାବେଳେ ହବସପୁରି ହସ୍ତତନ୍ତ ଉତ୍ପାଦ ପାଇଁ କଳାହାଣ୍ଡି ଜିଲ୍ଲାର ଜଳନ୍ଧର ମେହେର ସମ୍ମାନିତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ଶାସନ ସଚିବ ଅନନ୍ୟା ଦାସ, ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ଯୁଗ୍ମ ନିର୍ଦ୍ଦେଶକ ଦେବଜିତ୍ ନନ୍ଦୀ ଏବଂ ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ।
Tags: #NationalHandloomDay #Handlooms #TextileIndustry #Odisha


















