ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୨୨ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ଓଡ଼ିଶା ସରକାର। ଏହି କ୍ରମରେ ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ବୁଧବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ରାଜ୍ୟ ରାଜସ୍ୱ ବୋର୍ଡର ସଚିବ ଥିବା ଡକ୍ଟର ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଉକ୍ତ ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକର ଜିଲ୍ଲପାଳ ଭାବେ ଦାୟିତ୍ବ ଦିଆଯାଇଛି।

ବାଲେଶ୍ଵରର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ରାଜ୍ୟ ରାଜସ୍ୱ ବୋର୍ଡର ସଚିବ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲ୍ଲାର ନୂଆ ଜିଲ୍ଲାପାଳ ହୋଇଛନ୍ତି।

ନବରଙ୍ଗପୁରର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଦିଆଯାଇଛି। ସେହିପରି ଯାଜପୁରର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ରାଜ୍ୟ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

କଟକ ମହାନଗର ନିଗମର କମିଶନର ଥିବା ବିଜୟ କୁମାର ଦାସଙ୍କୁ ଗଜପତିର ଜିଲ୍ଲାପାଳ ଭାବେ ଦାୟିତ୍ଵ ମିଳିଛି। ସେହିପରି ଗଜପତିର ବର୍ତ୍ତମାନ ଜିଲ୍ଲାପାଳ ଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରପଡ଼ାର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ନୟାଗଡ଼ର ଜିଲ୍ଲାପାଳ ସ୍ଵଧା ଦେବ ସିଂହଙ୍କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ଦିଆଯାଇଛି। ସେହିପରି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ପାରୁଲ ପଟୱାରି ରାୟଗଡ଼ାର ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି।

ଢେଙ୍କାନାଳର ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ କନ୍ଧମାଳର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଭଦ୍ରକର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବଣ୍ଡୋର ସମ୍ବଲପୁରର ଜିଲ୍ଲପାଳ ନିଯୁକ୍ତ ହୋଇଛନ୍ତି।

ମୟୂରଭଞ୍ଜର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କଟକର ଜିଲ୍ଲାପାଳ ହୋଇଛନ୍ତି। ନୂଆପଡ଼ାର ଜିଲ୍ଲାପାଳ ହେମନ୍ତକାନ୍ତ ସାଏ ମୟୂରଭଞ୍ଜର ଜିଲ୍ଲାପାଳ ନିଯୁକ୍ତ କରାଯାଇଛି।

କଳାହାଣ୍ଡିର ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀଙ୍କୁ ଯାଜପୁରର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କନ୍ଧମାଳର ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ମାଲକାନଗିରିର ଜିଲ୍ଲାପାଳ ହୋଇଛନ୍ତି।

ଦେବଗଡ଼ର ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଢେଙ୍କାନାଳର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁରର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

ବୌଦ୍ଧର ଜିଲ୍ଲାପାଳ ଜେ ସୋନାଲଙ୍କୁ ଜଗତସିଂହପୁରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ମାଲକାନଗିରିର ଜିଲ୍ଲାପାଳ ପୱାର ସଚିନ ପ୍ରକାଶ କଳାହାଣ୍ଡିର ଜିଲ୍ଲାପାଳ ହୋଇଛନ୍ତି।

ସମ୍ବଲପୁରର ଜିଲ୍ଲାପାଳ ଅକ୍ଷୟ ସୁନୀଲ କୁମାର ନୟାଗଡ଼ର ଜିଲ୍ଲାପାଳ ହୋଇଥିବାବେଳେ ରାୟଗଡ଼ାର ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନଙ୍କୁ ସୁନ୍ଦରଗଡ଼ର ଜିଲ୍ଲାପାଳ ନିଯୁକ୍ତ କରାଯାଇଛି।

ଅନ୍ୟପଟେ ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କବିନ୍ଦ୍ର କୁମାର ସାହୁ ଦେବଗଡ଼ର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ସଚିବ ମଧୁସୂଦନ ଦାଶ ନୂଆପଡ଼ାର ଜିଲ୍ଲାପାଳ ହୋଇଥିବାବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

Tags: #IASReshuffle #IASOfficers #DistrictCollectors #Odisha

LEAVE A REPLY

Please enter your comment!
Please enter your name here