ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିବ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟ। ସନ୍ଥ କବି ଭୀମ ଭୋଇଙ୍କ ନାମରେ ଏହି ବିଶ୍ଵବିଦ୍ୟାଳୟ ନାମିତ କରାଯିବ। ଏହି ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ଓ ବୈଷୟିକ ପାଠ୍ୟକ୍ରମର ସୁବିଧା ରହିବ। ଓଡ଼ିଶା ସରକାର ଏବଂ ଜାପାନର ସୁକୁବା ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଏହା ପ୍ରତିଷ୍ଠା ହେବ।
ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଓଡ଼ିଶା ଆସିଥିବା ଜାପାନର ଏକ ପ୍ରତିନିଧି ଦଳ ସହ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି।
“ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକ ଦୃଷ୍ଟିହୀନ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ ୨ ଲକ୍ଷରୁ ଅଧିକ ଯୁବକଯୁବତୀ ରହିଛନ୍ତି। ସେମାନଙ୍କ ଶିକ୍ଷା ଓ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ବିଶ୍ଵବିଦ୍ୟାଳୟ ସେମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆହୁରି ଅଧିକ ସୁଯୋଗ ପ୍ରଦାନ କରିବ”, କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।
ବିଶ୍ଵବିଦ୍ୟାଳୟରେ କ’ଣ ରହିବ ସୁବିଧା?
ଏହି ବିଶ୍ଵବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଉନ୍ନତମାନର ଡିଜିଟାଲ ଲ୍ୟାବ ଏବଂ ହଷ୍ଟେଲର ସୁବିଧା ଉପଲବ୍ଧ ହେବ। ଏଠାରେ ଏକ୍ୟୁପଂକ୍ଚର ଏବଂ ଫିଜିଓଥେରାପି ଭଳି ବ୍ୟବସାୟିକ ପାଠ୍ୟକ୍ରମ ରହିବ। ଏଠାରେ ଓଡ଼ିଶା ସମେତ ଦେଶ ବିଦେଶର ଛାତ୍ରଛାତ୍ରୀ ପଢ଼ିପାରିବେ।
Tags: #UniversityforBlindStudents #HigherEducation #SSEPD #Odisha