ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ପୁଣି ଜଣେ ମୁଖ୍ୟଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପୂର୍ତ୍ତ ବିଭାଗର ରୋଡସ ଓ ବିଲ୍ଡିଂ ଡିଭିଜନ (ଆରଆଣ୍ଡବି)ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ସୋମବାର ସକାଳୁ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।  

ତାରାପ୍ରସାଦ ମିଶ୍ରଙ୍କ କଟକ, ଭୁବନେଶ୍ଵର ଏବଂ ଝାରସୁଗୁଡ଼ାରେ ଥିବା ୯ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ। ଭୁବନେଶ୍ଵର ନୂଆପଲ୍ଲୀସ୍ଥିତ ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସିରେ ଥିବା ଫ୍ଲାଟ, ଝାରସୁଗୁଡ଼ା ଆସିଆନା ଆର୍ଟମେଣ୍ଟରେ ୩ଟି ଫ୍ଲାଟ, କଟକ ଆଠଗଡ଼ରେ  ଥିବା ପୈତୃକ ଘର ଓ ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଛି।

ଚଢ଼ଉ ବେଳେ ଭୁବନେଶ୍ଵରରେ ଥିବା ତାରା ପ୍ରସାଦ ମିଶ୍ରଙ୍କ ଘରୁ ଠାବ ହୋଇଛି ନଗଦ ଟଙ୍କା, ସୁନା ଓ ହୀରା ଗହଣା, ସୁନା କଏନ, ଦାମୀ ଘଣ୍ଟା, ବିଦେଶୀ ମୁଦ୍ରା, ଦାମୀ କାର, ବିଭିନ୍ନ ବ୍ୟାଙ୍କର ପାସବୁକ ଆଦି। ପୂର୍ବତନ ଯନ୍ତ୍ରୀଙ୍କ ଘରୁ ମିଳିଥିବା ପୁଳା ପୁଳା ସୁନା ଗହଣା ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଟିମ।

ଏହି ଚଢ଼ଉରେ ସାମିଲ ହୋଇଛନ୍ତି ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ସବଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ।

 Tags: #VigilanceRaid #Odisha #formerchiefengineer #TaraprasadMishra #VigilanceTrap

Comment