ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଗତ ଅଗଷ୍ଟ ୨ ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ସାମ୍ବାଦିକତା ଜଗତରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରିଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ଵ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସମ୍ବାଦିକତା ଜୀବନ
ଡକ୍ଟର ପ୍ରଦୀପ ମହାପାତ୍ର ବ୍ରହ୍ମପୁରର ମୂଳ ନିବାସୀ। ୧୯୭୦ ମସିହାରେ ହାଇସ୍କୁଲରେ ପଢୁଥିବା ସମୟରେ ସେ ସାମ୍ବାଦିକତା କ୍ଷେତ୍ରରେ ପାଦ ଦେଇଥିଲେ। ସେତେବେଳେ ସେ ‘ସମ୍ୱିତ’ ନାମକ ଏକ ପତ୍ରିକାରେ ଲେଖା ଆରମ୍ଭ କରିଥିଲେ। ସେହି ସମୟରୁ ସେ ସାପ୍ତାହିକ ଓ ଦୈନିକ ସମ୍ୱାଦପତ୍ରରେ ଲେଖାଲେଖି କରିଆସିଥିଲେ।
୧୯୮୧ରେ ଡକ୍ଟର ପ୍ରଦୀପ ମହାପାତ୍ର ବେଙ୍ଗାଳୁରୁ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାମ୍ୱାଦିକତାରେ ସ୍ନାତକୋତ୍ତର ପାସ କରିଥିଲେ। ସେ ବ୍ରହ୍ମପୁରରୁ ନିଜ ସାମ୍ବାଦିକତା ଜୀବନ ଆରାମ୍ଭ କରିଥିଲେ। ଖବରକାଗଜ, ପତ୍ରିକା, ରେଡିଓ, ଟେଲିଭିଜନ, ସିନେମା ଏବଂ ଡେଭେଲପମେଣ୍ଟ କମ୍ୟୁନିକେସନ କ୍ଷେତ୍ରରେ ତାଙ୍କର ପାଞ୍ଚ ଦଶନ୍ଧିରୁ ଅଧିକ ସମୟର କାର୍ଯ୍ୟ ଅଭିଜ୍ଞତା ରହିଥିଲା।
ଡକ୍ଟର ପ୍ରଦୀପ ମହାପାତ୍ର ଇଂରାଜୀ ସାମ୍ୱାଦିକତାରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ ୧୯୯୮ରେ ଓଡ଼ିଆ ସାମ୍ବାଦିକତାରେ ପିଏଚ୍ ଡି କରିଥିଲେ। “ଓଡ଼ିଆ ସାମ୍ୱାଦିକତାର କ୍ରମ ବିକାଶରେ ‘ଉତ୍କଳ ଦୀପିକା’ର ଭୂମିକା” ଶୀର୍ଷକ ନିବନ୍ଧ ରଚନା କରି ସେ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ।
ପ୍ରଥମ ରଙ୍ଗୀନ ଓଡ଼ିଆ ପତ୍ରିକା ‘ଜନନୀ’ର ପ୍ରତିଷ୍ଠାତା ଥିଲେ ଡକ୍ଟର ପ୍ରଦୀପ ମହାପାତ୍ର। ୯୦ ଦଶକରେ ଏହା ବହୁତ ଲୋକପ୍ରିୟ ହୋଇଥିଲା। ଏହାସହ ସେ ବ୍ରହ୍ମପୁରରୁ ପ୍ରକାଶିତ ଦୈନିକ ଆଶା ଖବରକାଗଜ ସହ ସଂପୃକ୍ତ ଥିଲେ। ଡେକାନ ହେରାଲ୍ଡରେ ନିୟମିତ ତାଙ୍କର ଲେଖା ବାହାରୁ ଥିଲା। ବିଭିନ୍ନ ଖବରକାଗଜରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା। ବ୍ରହ୍ମପୁର ଡାଏରୀ ତାଙ୍କର ଏକ ଆଦୃତ ସ୍ତମ୍ଭ।

୧୯୯୮ରୁ ୨୦୧୧ ମଧ୍ୟରେ ୧୨ ବର୍ଷ ଧରି ‘ଗ୍ରାମ ବିକାଶ’ ଦ୍ୱାରା ଓଡ଼ିଆରେ ପ୍ରକାଶିତ ବିକାଶ ଭିତ୍ତିକ ଗୃହ ପତ୍ରିକା ‘ଗ୍ରାମ ବିକାଶ ସମ୍ବାଦ’ର ପ୍ରକାଶନରେ ଡକ୍ଟର ପ୍ରଦୀପ ମହାପାତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହାସହ ସେ ବ୍ରହ୍ମପୁର ପୌରପାଳିକା ଦ୍ୱାରା ପ୍ରକାଶିତ ‘ବ୍ରହ୍ମପୁର ପୌର ସମ୍ବାଦ’କୁ ୧୯୯୩ରୁ ୧୯୯୫ ମଧ୍ୟରେ ୨ ବର୍ଷ ପାଇଁ ପ୍ରକାଶିତ କରିବାରେ ସେ ସହଯୋଗ କରିଥିଲେ।
ସେହିପରି ସେ ଅଣଲାଭକାରୀ ସଂସ୍ଥା ‘ପ୍ରେମ’ ପକ୍ଷରୁ ପ୍ରକାଶ ପାଉଥିବା ସ୍ୱାସ୍ଥ୍ୟ ସୂଚନା (୨୦୦୭-୦୯)ର ୪ଟି ଖଣ୍ଡ, ଓଡ଼ିଶା ଆଦିବାସୀ ସମାଚାର (୨୦୦୪-୦୫)ର ୬ଟି ସଂସ୍କରଣ ଏବଂ କାନ୍ଥ ଖବରକାଗଜ ପିଲାଙ୍କ ସମାଚାର (୧୯୯୮-୨୦୦୦)ର ପ୍ରକାଶନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସାମ୍ବାଦିକରୁ ସାମ୍ବାଦିକତା ଶିକ୍ଷା
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଡକ୍ଟର ପ୍ରଦୀପ ମହାପାତ୍ର ସାମ୍ବାଦିକତା ଓ ଗଣଯୋଗାଯୋଗରେ ଅଧ୍ୟାପକ ଭାବେ ୨୭ ବର୍ଷ କାର୍ଯ୍ୟ କରିଥିଲେ। ପରେ ଏହି ବିଭାଗର ମୁଖ୍ୟ ଭାବେ ତାଙ୍କୁ ଦାୟିତ୍ଵ ମିଳିଥିଲା। ଜଣେ ସରଳ, ଛାତ୍ରବତ୍ସଳ ଅଧ୍ୟାପକ ଭାବେ ସେ ବେଶ୍ ଜଣାଶୁଣା ଥିଲେ।
ଓଡ଼ିଶାର ଅନେକ ସାମ୍ବାଦିକଙ୍କୁ ଗଢ଼ିବାରେ ଡକ୍ଟର ପ୍ରଦୀପ ମହାପାତ୍ର ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥିଲେ। ଦୀର୍ଘ ବର୍ଷ ଅଧ୍ୟାପନା କରିବା ପରେ ୨୦୧୪ ମସିହାରେ ଅବସର ନେଇଥିଲେ।
ଅବସର ପରବର୍ତ୍ତୀ ଜୀବନ
ଡକ୍ଟର ପ୍ରଦୀପ ମହାପାତ୍ର ଗଣମାଧ୍ୟମ ଅଧ୍ୟାପନାରୁ ଅବସର ନେଇଥିଲେ ମଧ୍ୟ ସାମ୍ବାଦିକତାକୁ କେବେ ନିଜଠାରୁ ଅଲଗା କରିନଥିଲେ। ଅବସର ପରେ ମଧ୍ୟ ବିଭିନ୍ନ ପତ୍ରିକା ତଥା ଇଂରାଜୀ ନ୍ୟୁଜଲେଟରରେ ତାଙ୍କ ଲେଖା ପ୍ରକାଶ ପାଉଥିଲା। ସେ ସାମ୍ପ୍ରତିକ ସମୟରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରସଙ୍ଗକୁ ନେଇ ଲେଖା ଲେଖିଥିଲେ। ଖାସକରି କୋଭିଡ୍ ପୂର୍ବରୁ ଏବଂ ପରେ ମିଡିଆ ଜଗତରେ ଆସିଥିବା ପରିବର୍ତ୍ତନକୁ ସେ ନିକଟରୁ ଅନୁସରଣ ଏବଂ ବିଶ୍ଳେଷଣ କରିବାରେ ସକ୍ରିୟ ଥିଲେ।
Tags: #DrPradeepMohapatra #Journalism #BerhampurUniversity #Odisha