ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପୂର୍ତ୍ତ ବିଭାଗର ରୋଡ ଓ ବିଲ୍ଡିଂ ଡିଭିଜନ (ଆରଆଣ୍ଡବି)ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସୋମବାର ସକାଳୁ ତାରା ପ୍ରସାଦ ମିଶ୍ରଙ୍କର ୯ଟି ଠିକଣା ଉପରେ ଚଢ଼ଉ କରାଯାଇଥିଲା।
ତାରା ପ୍ରସାଦ ମିଶ୍ରଙ୍କ ଭୁବନେଶ୍ଵର ନୂଆପଲ୍ଲୀସ୍ଥିତ ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସିରେ ଥିବା ଫ୍ଲାଟ, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ୩ଟି ଫ୍ଲାଟ, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା।
ଚଢ଼ଉ ବେଳେ ଭୁବନେଶ୍ଵରରେ ଥିବା ତାରା ପ୍ରସାଦ ମିଶ୍ରଙ୍କ ଘରୁ ଠାବ ହୋଇଛି ନଗଦ ଟଙ୍କା, ସୁନା ଓ ହୀରା ଗହଣା, ରୁପା ଥାଳି, ସୁନା କଏନ, ପ୍ରାୟ ୨୦ଟି ଦାମୀ ହାତ ଘଣ୍ଟା, ବିଦେଶୀ ମୁଦ୍ରା, ଦାମୀ କାର, ବିଭିନ୍ନ ବ୍ୟାଙ୍କର ପାସବୁକ ଆଦି। ପୂର୍ବତନ ଯନ୍ତ୍ରୀଙ୍କ ଘରୁ ମିଳିଥିବା ପୁଳା ପୁଳା ସୁନା ଗହଣାକୁ ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଟିମ। ପ୍ରାୟ ଦେଢ଼ କେଜି ସୁନା ଜବତ କରିଛନ୍ତି ଭିଜିଲାନ୍ସ ଟିମ।
ନୂଆପଲ୍ଲୀରେ ଗୋଟିଏ ଫ୍ଲାଟ, କସମୋପଲିସିରେ ୨ଟି ଫ୍ଲାଟ, ଫାଲକନ କ୍ରେଷ୍ଟ ଓ କଟକ ଭୁବନେଶ୍ଵର ରୋଡରେ ଥିବା ଗ୍ରାଣ୍ଡ ଆବାସରେ ଗୋଟିଏ ଆସୋଟେକରେ ୨ଟି ଫ୍ଲାଟ ରହିଛି। ଏହା ସହ ଝାରସୁଗୁଡ଼ାସ୍ଥିତ ଆସିଆନା ଆପାର୍ଟମେଣ୍ଟରେ ୩ଟି ଫ୍ଲାଟ, ଭୁବନେଶ୍ଵର, କଟକ ଓ ଜଟଣୀରେ ମୋଟ ୭ଟି ଫ୍ଲାଟ ଠାବ କରିଛନ୍ତି ଭିଜିଲାନ୍ସ ଟିମ।
କେବେଳ ସେତିକି ନୁହେଁ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ନଗଦ ୬ ଲକ୍ଷ ଟଙ୍କା ଜବତ ହୋଇଛି। ଲକର, ବୀମା ରାଶି ଏବଂ ଫି କ୍ସଡ ଡିପୋଜିଟର ଆକଳନ କରାଯାଉଛି।
୧୯୮୪ ମସିହାରେ ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ୨୦୨୩ ମସିହା ଜୁନ ମାସରେ ଆରଆଣ୍ଡବି ଡିଜିଭଜନର ମୁଖ୍ୟଯନ୍ତ୍ରୀ ଭାବେ ସେ ଚାକିରିରୁ ଅବସର ନେଇଥିଲେ।
ଏହି ଚଢ଼ଉରେ ସାମିଲ ହୋଇଥିଲେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ସବଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ।
Tags: #VigilanceRaid #Odisha #formerchiefengineer #TaraprasadMishra #VigilanceTrap


















