ଓଡ଼ିଶାଲାଇଭ୍ ବ୍ୟୁରୋ

“ଋତୁସ୍ରାବ ହେଲେ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି। ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଜୀବୀ ମହିଳାଙ୍କୁ ଏହି ସୁବିଧା ମିଳିବ। ଖୁବଶୀଘ୍ର ଏହି ନିୟମ ସାରା ରାଜ୍ୟରେ ଲାଗୁ ହେବ”, ୭୮ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ମହିଳାମାନଙ୍କ ପାଇଁ ଏହିଭଳି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଏବେ ଛୁଟି ମିଳିବ। ଋତୁସ୍ରାବ ଦିନ କିମ୍ବା ଦ୍ଵିତୀୟ ଦିନ ମହିଳା କର୍ମଚାରୀମାନେ ଏହି ଛୁଟି ନେଇପାରିବେ। କଟକ ବାରବାଟୀ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ଵାସ୍ଥ୍ୟ ନୀତି ଆଣିବାକୁ ଯାଉଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏହି ନିଷ୍ପତ୍ତି ନିଆଯାଇଛି। ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। ଏହାକୁ ଗୁରୁତ୍ଵ ଦିଆଯାଇ ଏହି ଘୋଷଣା ହୋଇଛି। ନିୟମ ଲାଗୁ ହେବା ପରେ ମହିଳାମାନେ ଋତୁସ୍ରାବ ଛୁଟି ନେଇପାରିବେ।

Tags: #IndependenceDay #MenstruationLeave #StateLevelprogramme #DeputyCMOdisha #PravatiParida #Odisha

Comment