ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେଲା ତାରିଖ। ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଆସନ୍ତା ସେପ୍ଟେମ୍ବର ୧୮ ଓ ୨୫ ତାରିଖ ଏବଂ ଅକ୍ଟୋବର ୧ ତାରିଖରେ ମତ ସାବ୍ୟସ୍ତ କରିବେ ଜମ୍ମୁ-କାଶ୍ମୀର ଭୋଟର। ଆସନ୍ତା ଅକ୍ଟୋବର ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏ ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ।

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ। ଏହା ପୂର୍ବରୁ ୨୦୧୪ ମସିହାରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହୋଇଥିଲା। ୨୦୨୪ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଲାଗି ଭୋଟ ପଡ଼ିବ। ଜମ୍ମୁ-କଶ୍ମୀରରେ ବିଧାନସଭା ଆସନ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି। ଜମ୍ମୁରେ ୪୩ଟି ଏବଂ କଶ୍ମୀରରେ ୪୭ଟି ଆସନରେ ମତଦାନ ହେବ। ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପାଇଁ ୨୪ ଆସନ ସଂରକ୍ଷିତ ରହିଛି। କିନ୍ତୁ ଏଠାରେ ନିର୍ବାଚନ ହେବ ନାହିଁ। ମୋଟ ୧୧୪ଟି ଆସନ ମଧ୍ୟରୁ ଜମ୍ମୁ-କଶ୍ମୀରର ୯୦ଟି ଆସନ ପାଇଁ ମତଦାନ ହେବ।

୨୦୧୪ ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀରର ମୋଟ ୮୭ଟି ଆସନ ମଧ୍ୟରୁ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ୨୮ଟି ଆସନ ଜିତିଥିବାବେଳେ ବିଜେପି ୨୫ଟି ଆସନ ପାଇଥିଲା। ସେହିପରି ନ୍ୟାସନାଲ କନଫ୍ରେନ୍ସ ୧୫ଟି ଆସନ ଜିତିଥିବାବେଳେ କଂଗ୍ରେସ ୧୨ଟି ଆସନ ହାତେଇବାକୁ ସମର୍ଥ ହୋଇଥିଲା। ବିଜେପି ଓ ପିଡିପି ମିଶି ଜମ୍ମୁ-କଶ୍ମୀରରେ ସରକାର ଗଢ଼ିଥିଲେ।

ମୁଫତୀ ମହମ୍ମଦ ସଈଦ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୬ ମସିହା ଜାନୁଆରି ମାସରେ ତାଙ୍କର ଦେହାନ୍ତ ହୋଇଯିବାରୁ ଚାରି ମାସ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ପରେ ମୁଫ୍ତୀ ମହମ୍ମଦ ସଈଦଙ୍କ ଝିଅ ମେହବୁବା ମୁଫ୍ତୀ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ। କିନ୍ତୁ ବିଜେପି-ପିଡିପି ମେଣ୍ଟ ବେଶି ଦିନ ରହିଲା ନାହିଁ। ୨୦୧୮ ମସିହା ଜୁନ ୧୯ ତାରିଖରେ ବିଜେପି ଓ ପିଡିପି ମେଣ୍ଟ ଭାଙ୍ଗିଥିଲା। ସେବେଠାରୁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।

Tags: #Politics #Jammu&KashmirPolitics #PDP #BJP #Congress #NC #AssemblyElection #India

LEAVE A REPLY

Please enter your comment!
Please enter your name here