ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ଫଟୋ ସାମ୍ବାଦିକ ତଥା ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ପ୍ରତିଷ୍ଠାତା ଅନିଲ ପ୍ରସାଦ ମିଶ୍ରଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ୯୦ ଦଶକରେ ରାଜ୍ୟରେ ଫଟୋ ସାମ୍ବାଦିକତା କ୍ଷେତ୍ରର ବିକାଶ ଲାଗି ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଅନିଲ ପ୍ରସାଦ ମିଶ୍ର ଅନେକ ଦିନରୁ ଅସୁସ୍ଥ ଥିଲେ। କିଛି ଦିନ ପୂର୍ବେ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ଅନିଲ ପ୍ରସାଦ ମିଶ୍ରଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଅନିଲ ପ୍ରସାଦ ମିଶ୍ର ଜଣେ ଫଟୋ ସାମ୍ବାଦିକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ସମୟରେ ଓଡ଼ିଶାରେ ଫଟୋ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ସୁଯୋଗ ନଥିଲା। ସେ ଏହି କ୍ଷେତ୍ରରେ କାର୍ଯ୍ୟ କରି ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କରି ପ୍ରଚେଷ୍ଟାରେ ୧୯୮୪ ମସିହାରେ ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର (ଇପିଏ) ପ୍ରତିଷ୍ଠା ହୋଇଥିଲା।
ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ଖବର ଏବଂ ଫଟୋ ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା। ଏଜେନ୍ସି ଏହିସବୁ ଖବର, ଫଟୋ ଓ ଫଟୋ ଫିଚରକୁ ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ଦୈନିକ ସମ୍ବାଦପତ୍ରକୁ ଯୋଗାଇ ଆସୁଛି। ଅନିଲ ପ୍ରସାଦ ମିଶ୍ର ନିଜେ ଜଣେ ଫଟୋ ସାମ୍ବାଦିକ ହେବା ସହ ନିଜ କ୍ୟାରିୟରରେ ଅନେକ ଫଟୋ ସାମ୍ବାଦିକଙ୍କୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ବହନ କରିଥିଲେ।
‘ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ, ଅନିଲ ପ୍ରସାଦ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Tags: #AneelPrasadMishra #PhotoJournalist #EasternPrsssAgency #Odisha