ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା। ଏଣିକି ୨୪ ମାର୍କ ରଖିଲେ ପାସ୍ କରିବେ ଛାତ୍ରଛାତ୍ରୀ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
୨୦୨୫ ଶିକ୍ଷା ବର୍ଷରେ ଯୁକ୍ତ ୨ ଛାତ୍ରଛାତ୍ରୀ ନୂଆ ଢାଞ୍ଚାରେ ପରୀକ୍ଷା ଦେବେ। ୮୦ ମାର୍କର ପରୀକ୍ଷା ହେବ। ପୂର୍ବଭଳି ପରୀକ୍ଷା ସମୟ ୩ ଘଣ୍ଟା ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ପୂର୍ବରୁ ୧୦୦ ମାର୍କର ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। ନୂଆ ଢାଞ୍ଚା ଅନୁଯାୟୀ ଏବେ ୮୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ। ୮୦ ମାର୍କର ଥିଓରି ଏବଂ ୨୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ହେବ। ନନ ପ୍ରାକ୍ଟିକାଲ ବିଷୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା ରହିବ। ନନ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ ମାର୍କ ୮୦ ରହିଥିବାବେଳେ ପାସ୍ ମାର୍କ ୨୦ ରହିଛି।
୮୦ରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍ କରିବେ। ଏହା ବ୍ୟତୀତ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷାରେ ଯେତିକି ମାର୍କ ରହିବ, ସେହି ମାର୍କ ମୋଟ ମାର୍କ ସହ ଯୋଡ଼ାଯିବ। ତେବେ ଥିଓରି ମାର୍କ ସହ ଇଣ୍ଟରନାଲ ମାର୍କକୁ ମିଶାଇଲେ ତାକୁ ପାସ୍ ମାର୍କ ବୋଲି ଗଣାଯିବ ନାହିଁ। ବାଧ୍ୟତାମୂଳକ ଭାବେ ଇଂରାଜୀ ଓ ମାତୃଭାଷାରେ ଆସୁଥିବା ରଚନା ଲେଖନୀକୁ ଏହି ପରୀକ୍ଷାରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି।
କୌଣସି ବିଷୟର ପ୍ରଶ୍ନପତ୍ରରେ ଆଉ ୧୦ ମାର୍କ ରହିବ ନାହିଁ। କଳା ବିଭାଗ ବିଷୟଗୁଡ଼ିକରେ ସର୍ବାଧିକ ୮ ମାର୍କ ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୫ ମାର୍କ ପର୍ଯ୍ୟନ୍ତ ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
Tags: #Education #Exam #+2Exam #QuestionPattern #Odisha #CBSE