ଓଡ଼ିଶାଲାଇଭ୍ ବ୍ୟୁରୋ

IIT Bhubaneswar Main Gate

ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚରର ଗବେଷଣାକାରୀ ଦଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି। ଏଠାରେ ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଉତ୍ସ ପୁନରୁଦ୍ଧାର ପାଇଁ ଏକ ଅତ୍ୟାଧୁନିକ ସୌରଚାଳିତ ମାଇକ୍ରୋୱେଭ୍ ପାଇରୋଲିସିସ୍ ରିଆକ୍ଟରର ବିକାଶ ହୋଇଛି। ଏହି ଟେକ୍ନୋଲୋଜିକୁ ପେଟେଣ୍ଟ ମଧ୍ୟ ମିଳିଛି।  

ଏହି ନୂଆ ରିଆକ୍ଟରଟି ମାଇକ୍ରୋୱେଭ୍-ସହାୟକ ପାଇରୋଲିସିସ୍ ବ୍ୟବହାର କରି ଦ୍ରୁତ ଗତିରେ କାର୍ବୋନେସିୟସ ଉପାଦାନ (ବାୟୋଚାର) ଓ ବାୟୋ-ଅଏଲ ଭଳି ବର୍ଜ୍ୟବସ୍ତୁକୁ ଉପଯୋଗୀ ଦ୍ରବ୍ୟରେ ପରିଣତ କରିଥାଏ। ଏଥିରୁ ବାହାରିଥିବା ଉତ୍ପାଦ କୃଷି, ପରିବହନ ଏବଂ ଶକ୍ତି ଉତ୍ପାଦନ ସମେତ ବିଭିନ୍ନ କ୍ଷେତ୍ରରେ ପୁଣି କାର୍ଯ୍ୟରେ ଲାଗି ପାରିବ।

“ସାମ୍ପ୍ରତିକ ପରିସ୍ଥିତିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ମୁଖ୍ୟତଃ ଦହନ, ବାୟୋଗ୍ୟାସ୍ ପ୍ଲାଣ୍ଟ କିମ୍ବା ଲ୍ୟାଣ୍ଡଫିଲ୍ ନିଷ୍କାସନ ସହିତ ଜଡିତ। ଏଥିରୁ ବାହାରୁ ଥିବା ଉତ୍ପାଦ ସୀମିତ ମାତ୍ରାରେ ପୁନଃବ୍ୟବହାର ଯୋଗ୍ୟ ହୋଇଥାଏ। ସେହିପରି ଦହନ ପ୍ରକ୍ରିୟାରେ ବର୍ଜ୍ୟବସ୍ତୁକୁ ଜଳାଇବା ଦ୍ଵାରା ଅନେକ ସମୟରେ ବିଷାକ୍ତ ଗ୍ୟାସ୍ ଏବଂ ପାଉଁଶ ବାହାରି ପରିବେଶ ପ୍ରଦୂଷଣର କାରଣ ହୋଇଥାଏ। ଏହି ସବୁ ସମସ୍ୟାଗୁଡ଼ିକୁ ଆଇଆଇଟି ଭୁବନେଶ୍ୱରର ନୂଆ ଟେକ୍ନୋଲୋଜି ସମାଧାନ କରିପାରିବ”, କହିଛନ୍ତି ଗବେଷଣା ଟିମର ମୁଖ୍ୟ ଡକ୍ଟର ରେମ୍ୟା ନୀଲାଞ୍ଚେରି।

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏକ ପରିବେଶ ଅନୁକୂଳ ଏବଂ ସ୍ଥାୟୀ ଉପାୟ

ଏହି ଟେକ୍ନୋଲୋଜିରେ ମାଇକ୍ରୋୱେଭ୍ ବିକିରଣକୁ ଫିଡଷ୍ଟକ ମଧ୍ୟରେ ସମାନ ଉତ୍ତାପ ସୃଷ୍ଟି କରିବା ପାଇଁ ବ୍ୟବହାର କରିଥାଏ। ପ୍ରତିକ୍ରିୟାଗୁଡ଼ିକୁ ସଠିକ୍ ନିୟନ୍ତ୍ରଣ କରାଯିବା ସହିତ ବର୍ଜ୍ୟବସ୍ତୁ ଦ୍ରୁତ ଗତିରେ ମୂଲ୍ୟବାନ ଶେଷ ଦ୍ରବ୍ୟରେ ରୂପାନ୍ତରିତ ହୋଇଥାଏ। ଏହା ସୌର ଶକ୍ତି ଦ୍ୱାରା ପରିଚାଳିତ ହେଉଥିବାରୁ କୌଣସି ଅତିରିକ୍ତ ଶକ୍ତିର ଆବଶ୍ୟକତା ପଡ଼େ ନାହିଁ।

ଏହି ମେସିନ ଅଳ୍ପ ସ୍ଥାନରେ ଅଧିକ ମାତ୍ରାରେ ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ସକ୍ଷମ। ଟେକ୍ନୋଲୋଜିଟି କାର୍ବନ ନିରପେକ୍ଷ ବା କାର୍ବନ ନିଉଟ୍ରାଲ୍, ଯାହାକି ନିବେଶକମାନଙ୍କୁ କାର୍ବନ କ୍ରେଡିଟ୍ ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିବ।

ଏହି ଟେକ୍ନୋଲୋଜି ଦହନ ଏବଂ ଅନ୍ୟାନ୍ୟ ପାରମ୍ପାରିକ ବର୍ଜ୍ୟବସ୍ତୁ ପରିଚାଳନା ପଦ୍ଧତି ତୁଳନାରେ ସର୍ବନିମ୍ନ ପ୍ରଦୂଷଣ କରିଥାଏ। ଏଥିରେ କମ ଟଙ୍କା ଖର୍ଚ୍ଚ ହେଉଥିବାରୁ ବିଭିନ୍ନ ପୌରସଂସ୍ଥା ଏବଂ ଶିଳ୍ପସଂସ୍ଥା ଏହାର ଫାଇଦା ଉଠାଇ ପାରିବେ।

Tags: #IITBhubaneswar #WasteManagement #MicrowavePyrolysisReactor #Technology #Bhubaneswar #Odisha

LEAVE A REPLY

Please enter your comment!
Please enter your name here