ଓଡ଼ିଶାଲାଇଭ୍ ବ୍ୟୁରୋ
ସଂରକ୍ଷଣକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଶନିବାର ଦିନ ଚାଲିପାରିଲା ନାହିଁ ବିଧାନସଭା ଗୃହକାର୍ଯ୍ୟ। ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ।
ଶୂନ୍ୟକାଳ ଆରମ୍ଭରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଓବିସି ସଂରକ୍ଷଣ ପ୍ରସଂଗ ଉଠାଇ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ ଏକାଠି ହୋଇ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ।
ବିଧାନସଭା ଗୃହ ଭିତରେ ବିରୋଧୀ ବିଜେଡି ନାରାବାଜି କରିବା ସହ କଂଗ୍ରେସ ବିଧାୟକମାନେ ଲିଫଲେଟ ଫିଙ୍ଗି ପ୍ରତିବାଦ କରିଥିଲେ।
କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ରାଜ୍ୟରେ ଓବିସି ୫୪ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ୪୦ ପ୍ରତିଶତ ରହିଛନ୍ତି। ତେବେ ଓବିସି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ। ତୁରନ୍ତ ଓବିସି ବର୍ଗଙ୍କ ପାଇଁ ରହିଥିବା ୨୭ ପ୍ରତିଶତ ସଂରକ୍ଷଣ ରାଜ୍ୟରେ ଲାଗୁ କରାଯାଉ, ନଚେତ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାମଚନ୍ଦ୍ର କାଡ଼ାମ କହିଛନ୍ତି।
ଅନ୍ୟ ପଟେ ଓଡ଼ିଶାରେ ଓବିସି ବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଛି ବିଜେଡି।
ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଥିବା କହି ଗୃହରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ଶୁକ୍ରବାର ଦିନ ବାଚସ୍ପତିଙ୍କ ପୋଡିୟମ ଉପରକୁ ବିରୋଧୀ ଦଳର ବିଧାୟକମାନେ ଚଢ଼ି ପ୍ରତିବାଦ କରିଥିଲେ। ଏହି ଘଟଣାକୁ ବିଜେପି ବିଧାୟକମାନେ ନିନ୍ଦା କରିବା ସହ ଆଜି ସରକାରୀ ଦଳ ପକ୍ଷରୁ ଗୃହରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା।
Tags: #OdishaAssembly #AssemblySession #Reservation #BJP #BJD #Congress