ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଏବେ ବାର୍ଡ ଫ୍ଲୁ ହଟସ୍ପଟ୍ ପାଲଟିଛି। ଏଠାରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ-ଫ୍ଲୁ ଭୂତାଣୁ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣ ରୋକିବାକୁ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଏନେଇ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ପିପିଲିରେ ଏ ଯାଏଁ ପ୍ରାୟ ୫ ହଜାରରୁ ଅଧିକ କୁକୁଡ଼ା ମରାଯାଇଛି। ଏହାପରେ ସେଗୁଡ଼ିକୁ ପୋତାଯାଇ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଉଛି। ଏହି ଅଭିଯାନ ଆଉ ୧୫ ଦିନ ଚାଲିବ ଏବଂ ପ୍ରାୟ ୨୦ ହଜାର କୁକୁଡ଼ା ମରାଯିବ।
ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେଠାରେ ଆସନ୍ତା ୫ ମାସ ପର୍ଯ୍ୟନ୍ତ ଆଉ କୁକୁଡ଼ା ଚାଷ କରାଯିବ ନାହିଁ। ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେହି ସ୍ଥାର ୧ କିଲୋମିଟର ପରିଧି ଭିତରେ ଥିବା ସମସ୍ତ କୁକୁଡ଼ା ଫାର୍ମରୁ କୁକୁଡ଼ା ମାରିବା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଗତ ସପ୍ତାହରେ ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୁନାରେ ଏଚ୍୫ ଏନ ୧ ଏଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ ଚିହ୍ନଟ ହୋଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ବାର୍ଡ-ଫ୍ଲୁ ନିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା।
ଅନ୍ୟପଟେ ବାର୍ଡ-ଫ୍ଲୁ ଯୋଗୁଁ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ କୁକୁଡ଼ା ଓ ଅଣ୍ଡା ଆମଦାନୀ ଉପରେ ରୋକ୍ ଲଗାଯାଇଛି। ଫେଡେରେସନ ପକ୍ଷରୁ ପଶ୍ଚିମବଙ୍ଗର ସବୁ କୁକୁଡ଼ା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯାଇଛି।
Tags: #BirdFlu #Broiler #MassCulling #Pipili #Odisha