ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ନୂଆ ଅବକାରୀ ନୀତିରେ ରାଜ୍ୟରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଗୁରୁତ୍ଵ ଦିଆଯାଇଛି। ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ନୂଆ ଅବକାରୀ ନୀତି ଅନୁସାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଗ୍ରାମାଞ୍ଚଳରେ କେବଳ ଥ୍ରୀ ଷ୍ଟାର କିମ୍ବା ତା’ଠାରୁ ଅଧିକ ବର୍ଗର ହୋଟେଲ ବ୍ୟତୀତ କୌଣସି ନୂଆ ଠିପିଖୋଲା ଦୋକାନ ରହିବ ନାହିଁ।

ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ଟି ବାରର ଲାଇସେନ୍ସ ନବୀକରଣ କରାଯିବ ନାହିଁ। ବାରଗୁଡ଼ିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ, ହେଲେ ବାର୍ ଡ୍ୟାନ୍ସକୁ ଅନୁମତି ଦିଆଯିବ ନାହିଁ। ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା ଏମଜିକ୍ୟୁ ଫ୍ୟାକ୍ଟର ଚଳିତ ବର୍ଷ ବଢ଼ିବ ନାହିଁ।

ନିଶା ସେବନ ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ଉକୁ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିରେ ନୂଆ ନିଯୁକ୍ତି ସହ କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଗାଡ଼ି ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା କରାଯାଇଛି।

Tags: #NewExcisePolicy #LiquorShop #ExciseDept #Odisha

Comment